ନୂଆଦିଲ୍ଲୀ: ଭାରତର ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳା ଇତିହାସ ରଚିଛନ୍ତି । ସେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ଆଇଏସଏସ)ରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହେବାର ଉପଲବ୍ଧି ହାସଲ କରିଛନ୍ତି । ଶୁଭାଂଶୁ ଏବଂ ଅନ୍ୟ ତିନି ମହାକାଶଚାରୀ ଗୁରୁବାର ଆଇଏସଏସରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଥିବା ମହାକାଶଚାରୀମାନେ ସେମାନଙ୍କୁ ବେଶ ସ୍ୱାଗତ କରିଥିଲେ ।
ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ୧୪ ଦିନ ବିତାଇବେ । ନିଜର ଏହି ମିଶନ ସମୟରେ ସେ ଅନେକ ପ୍ରୟୋଗ କରିବେ । ତାଙ୍କ ପୂର୍ବରୁ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ୧୯୮୪ରେ ତତ୍କାଳୀନ ସୋଭିଏତ ସଂଘର ମିଶନରେ ମହାକାଶକୁ ଯାଇଥିଲେ । ସେଠାରେ ସେ ଆଠ ଦିନ ସମୟ ଅତିବାହିତ କରିଥିଲେ ।
ଭାରତର ଶୁଭାଂଶୁ ଶୁକ୍ଳା, ଆମେରିକାର ପ୍ୟାଗି ହ୍ୱଟିସନ, ହଙ୍ଗେରୀର ଟିବୋର କପୁ ଏବଂ ପୋଲାଣ୍ଡର ସ୍ଲାଭୋଜ ଉଜନାସ୍କିଙ୍କୁ ନେଇ ଡ୍ରାଗନ ଅନ୍ତରୀକ୍ଷ ଯାନ ପୃଥିବୀ ଚାରି ପାଶ୍ୱର୍ରେ ୨୮ ଘଣ୍ଟାର ଯାତ୍ରା ପରେ ଆଇଏସଏସରେ ପହଞ୍ଚିଛନ୍ତି । ଏକ୍ସିଓମ-୪ ମିଶନର କମାଣ୍ଡର ପ୍ୟାଗୀ ହ୍ୱିଟସନ ଶୁଭାଂଶୁଙ୍କୁ ଅନ୍ତରୀକ୍ଷ ଯାତ୍ରୀର ପିନ୍ ପ୍ରଦାନ କରିଥିଲେ ।
ଏହା ସହିତ ଶୁଭାଂଶୁ ମହାକଶ ଯାତ୍ରା କରିବାରେ ୬୩୪ତମ ମହାକାଶଚାରୀ ହୋଇଛନ୍ତି । ସ୍ପେସ ଏକ୍ସର ଡ୍ରାଗନ ଅନ୍ତରୀକ୍ଷ ଯାନ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୧ରେ ଆଇଏସଏସରେ ପହଞ୍ଚିଥିଲା । ବୁଧବାର ଦିନ ୧୨:୦୧ ରେ ଫ୍ଲୋରିଡାରୁ ଉତକ୍ଷେପଣ ହେବାର ପ୍ରାୟ ୨୮ ଘଣ୍ଟା ପରେ, ଡ୍ରାଗନ୍ ମହାକାଶଯାନ ମହାକାଶ ଷ୍ଟେସନ ସହିତ ଡକିଂ କରିବାକୁ ପ୍ରସ୍ତୁତି ଆରମ୍ଭ କଲା।