ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ସର୍ବଦା ଉସୁକାଇବା ପରି କାର୍ଯ୍ୟ କରି ଆସୁଥିବା ଚୀନ ନିଜର ମିତ୍ର ପାକିସ୍ତାନର ଅନର୍ଥ ହେଉଥିବା ଦେଖି ଶାନ୍ତି ଶାନ୍ତି ଜପିବା ଆରମ୍ଭ କରିଛି । ପହଲଗାମ ହମଲା ପରେ ଭାରତର ଅପରେସନ ସିନ୍ଦୂର ଓ ପୁଣି ପାକିସ୍ତାନ ଦୁଃସାହସର ମୁହଁତୋଡ ଜବାବ ଦେଖି ଡ୍ରାଗନର ଚିନ୍ତା ବଢି ଯାଇଛି । ଚୀନର ବୈଦେଶିକ ମନ୍ତ୍ରଣାଳୟ ଭାରତ ଓ ପାକିସ୍ତାନକୁ ଶାନ୍ତିର ଅପିଲ କରି ଜ୍ଞାନ ଦେଇଛି । ଚୀନ କହିଛି କଥା ଆଗକୁ ବଢିଲେ ଏହା କାହାରି ହିତ ହେବ ନାହିଁ । ଏମିତି ବୟାନ ଦେଇ ଚୀନ ପାକିସ୍ତାନର ପୃଷ୍ଠପୋଷକରେ ବଢି ଆସିଥିବା ଆତଙ୍କବାଦ ଉପରେ ନିରବତା ଅବଲମ୍ବନ କରିଛି ।
ଭାରତର ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଗୋଟିଏ ପଟେ ପାକିସ୍ତାନର ପ୍ରତି ହମଲାକୁ ପ୍ରତିହତ କରି ଭାରତ ପାଲଟା ଜବାବ ଦେଉଛି । ଏଥିରେ ପାକିସ୍ତାନର ଅହେତୁକ କ୍ଷତି ଘଟୁଛି । ଭାରତ ପାକିସ୍ତାନର ଚାରୋଟି ଏୟାରବେସକୁ ସଂପୂର୍ଣ୍ଣ ଭାବେ ଧ୍ୱସ୍ତ କରି ଦେଇଛି । ଏଥିରେ ନୂର ଖାନ ଏୟାରବେସ ବି ସାମିଲ । ଏହା ମଧ୍ୟରେ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ବର୍ତ୍ତମାନ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖି ଚିନ୍ତା ପ୍ରକାଶ କରିଛି ଚୀନ ।
ଚୀନ ଭାରତ ଓ ପାକିସ୍ତାନକୁ ଆଲୋଚନାର ଟେବୁଲକୁ ଆସିବାକୁ ପରାମର୍ଶ ଦେଇଛି । ଏଥିସହ ଡ୍ରାଗନ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛି । ମୁଖପାତ୍ର କହିଛନ୍ତି, ଆମେ ଦୁଇ ପକ୍ଷକୁ ଅପିଲ୍ କରୁଛୁ ଯେ, ଶାନ୍ତି ଓ ସ୍ଥିରତା ପାଇଁ କୂଟନୈତିକ ସ୍ତରରେ ଆଲୋଚନା କରାଯାଉ । ଦୁଇ ଦେଶ ଉତ୍ତେଜନାକୁ ନ ବଢାଇ ସଂଯମ ରୁହନ୍ତୁ । ଏହା ଭାରତ ଓ ପାକିସ୍ତାନ ଉଭୟଙ୍କ ହିତ ଓ ଆଞ୍ଚଳିକ ଶାନ୍ତିର ସ୍ଥିରତା ପାଇଁ ଆବଶ୍ୟକ । ବିଶ୍ୱ ସମୁଦାୟ ମଧ୍ୟ ଏହି ଆଶା କରିଛନ୍ତି । ଏସବୁ ଶେଷ କରିବା ପାଇଁ ଚୀନ ମଧ୍ୟସ୍ଥ ଭୂମିକା ନିର୍ବାହ କରିବାକୁ ଇଚ୍ଛଚ ।
ସୂଚନାଯୋଗ୍ୟ, ଚୀନ ନିଜର ଫାଇଦା ପାଇଁ ପାକିସ୍ତାନକୁ ନିଜର ସବୁଠୁ ଘନିଷ୍ଠ ବନ୍ଧୁର ଭ୍ରମଜାଲରେ ଫସାଇ ରଖିଛି । ଚୀନ ପାକିସ୍ତାନ ଓ ପିଓକେରେ ବ୍ୟାପକ ମାତ୍ରାରେ ନିବେଶ କରିଛି । ଭାରତର ଆଭିମୁଖ୍ୟ ଓ ସୈନ୍ୟ ଶକ୍ତିକୁ ଦେଖି ଚୀନକୁ ଏବେ ନିଜର ପ୍ରୋଜେକ୍ଟ ଉପରେ ପଡିବାକୁ ଥିବା ସମ୍ଭାବିତ ପ୍ରଭାବର ଚିନ୍ତା ଘାରିବାରେ ଲାଗିଛି । ଆତଙ୍କବାଦକୁ ନେଇ ସର୍ବଦା ନିରବ ରହୁଥିବା ଚୀନ ଏବେ ଭାରତର ଜବାବ ଦେଖି ଯୁଦ୍ଧ ବନ୍ଦ କରିବାକୁ ଅପିଲ୍ କରିଛି ।