ଶ୍ରୀନଗର: ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରକୁ ନେଇ ଶୁକ୍ରବାର ପୂରା ବିଶ୍ବର ଜନତା ଉତ୍ସାହିତ ଦେଖାଯାଇଛନ୍ତି। ଯୋଗକୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ସର୍ବାଧିକ ଉଦ୍ୟମ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀନଗରସ୍ଥିତ ପ୍ରସିଦ୍ଧ ଡାଲ ହ୍ରଦକୂଳରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ହଜାର ହଜାର ଲୋକଙ୍କ ଗହଣରେ ଯୋଗ କରିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଡାଲ ହ୍ରଦକୂଳରେ ଥିବା ପଡ଼ିଆରେ ମୋଦୀଙ୍କ ଯୋଗାଭ୍ୟାସ ସମୟରେ ହଜାର ହଜାର ଲୋକ ସାକ୍ଷୀ ପାଲଟିଛନ୍ତି। ଯେଉଁମାନେ ଡାଲହ୍ରଦକୁ ଯାଇପାରି ନାହାନ୍ତି, ଟେଲିଭିଜନ ଓ ସାମାଜିକ ଗଣମାଧ୍ୟମ ଜରିଆରେ ମୋଦୀଙ୍କ ଯୋଗ କାର୍ଯ୍ୟକ୍ରମକୁ ଦେଖି ପାରିଛନ୍ତି।
ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ଗୁରୁବାର ସନ୍ଧ୍ୟାରେ ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ଆଜି ଭାରତ ସମେତ ପୂରା ବିଶ୍ବକୁ ସମ୍ବୋଧିତ କରି କହିଛନ୍ତି, ବିଶ୍ବରୁ ଯେଉଁଠିକୁ ଯାଉଛି, ଯୋଗ ସଂପର୍କରେ ଆଲୋଚନା ହେଉଛି। ବିଶ୍ବର ଜନତା ଯୋଗ ଶିଖିବାକୁ ଭାରତ ଆସୁଛନ୍ତି। ବିଶ୍ବରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯୋଗ ପ୍ରତି ଲୋକଙ୍କର ଆକର୍ଷଣ ବଢ଼ିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗର ପୁରୁଣା ଧାରା ବଦଳିଛି। ଯୋଗ ବ୍ୟାପକ ହୋଇଛି। ଜର୍ମାନୀରେ ଏବେ ଦେଢ଼ କୋଟି ଯୋଗ ଟ୍ରେନ୍ର ଅଛନ୍ତି। ଯୋଗକୁ ଅର୍ଥନୀତି ଦୃଷ୍ଟିରେ ଦେଖାଯାଉଛି। କାରଣ ଏହାରି ମାଧ୍ୟମରେ ରୋଜଗାର କରାଯାଇପାରୁଛି। ଋଷିକେଶ ଠାରୁ ଆରମ୍ଭ କରି କେଳର ପର୍ଯ୍ୟନ୍ତ ଯୋଗ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପାଲଟିଛି। ବିମାନବନ୍ଦର ଠାରୁ ଆରମ୍ଭ କରି ହୋଟେଲରେ ମଧ୍ୟ ଯୋଗ ପାଇଁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି। ବଜାରରେ ଯୋଗ ପାଇଁ ବିଭିନ୍ନ ଉପକରଣ ବିକ୍ରି ହେଉଛି। ସ୍ବାସ୍ଥ୍ୟ ପାଇଁ ବ୍ୟକ୍ତିଗତ ଯୋଗ ଟ୍ରେନର ରଖାଯାଉଛି। ବଡ଼ବଡ଼ କଂପାନିଗୁଡ଼ିକ ନିଜର କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।
ଭାରତରେ ଫ୍ରାନ୍ସର ଜଣେ ୧୦୧ ବର୍ଷୀୟ ମହିଳା ଯୋଗ ଶିକ୍ଷୟିତ୍ରୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ସେ କେବେ ଭାରତ ଆସି ନଥିଲେ। କିନ୍ତୁ ସେ ନିଜ ଜୀବନକୁ ଯୋଗ ପ୍ରଚାର ପାଇଁ ଲଗାଇଦେଇଥିଲେ। ଆଜିର ଦିନରେ ବିଶ୍ବର ବଡ଼ବଡ଼ ପ୍ରତିଷ୍ଠାନରେ ଯୋଗ ପାଇଁ ଗବେଷଣା ଚାଲିଛି। ଯୋଗ କେବଳ ବିଦ୍ୟା ନୁହେଁ। ଏହା ବିଜ୍ଞାନ ମଧ୍ୟ। ଯୋଗ ଦ୍ବାରା ଏକାଗ୍ରତା ବଢ଼ିଥାଏ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୨୦୧୪ରେ ସଂଯୁକ୍ତ ରାଷ୍ଟ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ନେଇ ପ୍ରସ୍ତାବ ରଖିଥିଲି। ଭାରତର ଏହି ପ୍ରସ୍ତାବକୁ ସେତେବେଳେ ୧୭୭ଟି ରାଷ୍ଟ୍ର ସମର୍ଥନ ଦେଇଥିଲେ। ସେହିଦିନଠାରୁ ଯୋଗ ନୂଆନୂଆ ରେକର୍ଡ କରୁଛି। ୨୦୧୫ରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ଯୋଗରେ ୩୫ ହଜାର ଲୋକ ଯୋଗ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୋତେ କଶ୍ମୀର ଆସିବାକୁ ସୁଯୋଗ ମିଳିଛି। ଆମକୁ ଯୋଗରୁ ଯେଉଁ ଶକ୍ତି ମିଳୁଛି, ଶ୍ରୀନଗରରୁ ଏହା ଅନୁଭବ କରୁଛି। ଦେଶର ସମସ୍ତ ନାଗରିକ ଓ ବିଶ୍ବର କୋଣଅଣୁକୋଣରେ ଯୋଗ କରୁଥିବା ଲୋକଙ୍କୁ କଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଉଛି।