ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ରେ ଯୁଦ୍ଧ ପରିସ୍ଥିତି ଏବଂ ବାଣିଜ୍ୟିକ ଅସ୍ଥିରତା ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଏକ ବଡ଼ କୂଟନୈତିକ ସଫଳତା। ଉଜବେକିସ୍ତାନର ଦୁଇ ଦିନିଆ ଗସ୍ତ ସମୟରେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ 'ୟୁରେନିୟମ୍' ଯୋଗାଣକୁ ନେଇ ଏକ ଐତିହାସିକ ବୁଝାମଣା ହୋଇଛି। ଏହା ସହିତ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାର୍ଷିକ ବାଣିଜ୍ୟକୁ ୫ ବିଲିୟନ୍ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ବୈଠକ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଉଜବେକିସ୍ତାନ ମଧ୍ୟ ଏସିଆର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ଅଞ୍ଚଳରେ ଭାରତର ଭାଗିଦାରୀ ଏବଂ ବିକାଶ ପାଇଁ ଏହି ଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ-ଉଜବେକିସ୍ତାନର ମଜବୁତ ସମ୍ପର୍କ ପୂରା ମଧ୍ୟ ଏସିଆରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ସାବ୍ୟସ୍ତ ହେବ।
ଭାରତକୁ ମିଳିବ ୟୁରେନିୟମ୍ ଖଜାନା
ୟୁରେନିୟମ୍ ଚୁକ୍ତି ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ସଚିବ (ପଶ୍ଚିମ) ସିବି ଜର୍ଜ କହିଛନ୍ତି ଯେ ଭାରତକୁ ୟୁରେନିୟମ୍ ଯୋଗାଣ ସମ୍ପର୍କରେ ସ୍ଥାୟୀ ଓ ଦୀର୍ଘକାଳୀନ ଆଲୋଚନା ହୋଇଛି ଏବଂ ସୁଫଳ ମିଳିଛି। ଖୁବ୍ଶୀଘ୍ର ଦୁଇ ଦେଶ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିବେ। ଏହାଛଡ଼ା ଦ୍ୱିପାକ୍ଷିକ ସମ୍ପର୍କକୁ 'ବ୍ୟାପକ ରଣନୈତିକ ସହଭାଗିତା' ସ୍ତରକୁ ନିଆଯାଇଛି।
ସାମରିକ ସହଯୋଗ ଓ ଆତଙ୍କବାଦ ପ୍ରତି 'ଜିରୋ ଟୋଲେରାନ୍ସ'
ଏହି ଗସ୍ତରେ କେବଳ ଶକ୍ତି ବା ଉପକରଣ ନୁହେଁ, ସାମରିକ କ୍ଷେତ୍ରରେ ମଧ୍ୟ ବଡ଼ ସହଯୋଗ ନେଇ ନିଷ୍ପତ୍ତି ହୋଇଛି। ଯୁଗ୍ମ ପ୍ରତିରକ୍ଷା ଉତ୍ପାଦନ ମିଲିଟାରୀ ହାର୍ଡୱେରର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପଗୁଡ଼ିକ ସିଧାସଳଖ କାର୍ଯ୍ୟ କରିବେ।
ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ବିରୁଦ୍ଧରେ 'ଜିରୋ ଟୋଲେରାନ୍ସ' ନୀତି ଆପଣାଇବାକୁ ଦୁଇ ଦେଶ ସଙ୍କଳ୍ପବଦ୍ଧ ହୋଇଛନ୍ତି। ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର, କୃତ୍ରିମ ବୁଦ୍ଧିମତ୍ତା, ମହାକାଶ, ବ୍ୟାଙ୍କିଙ୍ଗ୍, ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମିଳିମିଶି କାମ କରିବେ।