ନୂଆଦିଲ୍ଲୀ, ଫେବୃଆରୀ ୨୩ (ଖବର ଓଡ଼ିଶା): ଦିଲ୍ଲୀ ଦଙ୍ଗା ପୀଡିତଙ୍କ ପାଇଁ ଦିଲ୍ଲୀ ସରକାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ସରକାର ଏପର୍ଯ୍ୟନ୍ତ ୨୨୨୧ ଦଙ୍ଗା ପୀଡ଼ିତଙ୍କୁ ୨୫ କୋଟି ଟଙ୍କାରୁ ଅଧିକ ଅନୁକମ୍ପାମୂଳକ ରାଶି ବାଣ୍ଟି ସାରିଛନ୍ତି । ସରକାରଙ୍କ ଦାବି ଯେ, ଏହା ଭାରତ ଇତିହାସରେ ପ୍ରଥମ ଥର ହୋଇଛି । ଏପର୍ଯ୍ୟନ୍ତ କୌଣସି ରାଜ୍ୟ ସରକାର ଦଙ୍ଗା ପୀଡ଼ିତଙ୍କୁ ଏତେ ପରିମାଣରେ ଅନୁକମ୍ପାମୂଳକ ରାଶି ପ୍ରଦାନ କରିନାହିଁ ।
ଆମ ଆଦମୀ ପାର୍ଟିର କହିବା ଅନୁସାରେ ଦିଲ୍ଲୀରେ କେଜ୍ରିୱାଲ ସରକାର ଆଗାମୀ ଦିନରେ ୧୯୮୪ର ଦଙ୍ଗା ପୀଡ଼ିତଙ୍କୁ ସମସ୍ତ ପ୍ରକାରର ସୁବିଧା ଓ ଆର୍ଥିକ ସହଯୋଗ କରିଥିଲେ । ଏଥି ସହିତ ଗତ ବର୍ଷ ଦିଲ୍ଲୀରେ ହୋଇଥିବା ଦଙ୍ଗା ପୀଡ଼ିତଙ୍କୁ ଖୁବ ଶୀଘ୍ର ସହାୟତା ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦାୟିତ୍ୱ ନେଇଛନ୍ତି । ଗତ ବର୍ଷ ଫେବ୍ରୁଆରୀ ଶେଷ ସପ୍ତାହରେ ଦିଲ୍ଲୀରେ ଦଙ୍ଗା ଦେଖାଯାଇଥିଲା । ସେହି ସମୟରେ ମୁଖ୍ୟମନ୍ତ୍ରୀ ଉତ୍ତର-ପୂର୍ବ ଦିଲ୍ଲୀର ହିଂସା ପ୍ରଭାବିତ ଅଂଚଳକୁ ଗସ୍ତ କରିଥିଲେ । ପୀଡ଼ିତ ପରିବାରକୁ ଯଥା ସମ୍ଭବ ସହଯୋଗର ହାତ ବଢ଼ାଇବା ଲାଗି ପ୍ରତିଶୃତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ସେହି ସମୟରେ ଘର ଛାଡ଼ି ପଳାୟନ କରିଥିବା ଲୋକଙ୍କୁ ଫେରିଆସିବାକୁ ଅପିଲ କରିଥିଲେ ।
ଅଧିକାରୀଙ୍କ କହିବା ଅନୁସାରେ ଦିଲ୍ଲୀ ସରକାର ଦଙ୍ଗାରେ ଜୀବନ ହାରିଥିବା ୪୪ ଜଣ ମୃତକଙ୍କ ପରିବାରକୁ ୪.୨ କୋଟି ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯାଇଛି । ସେହିଭଳି ୨୩୩ ଜଣ ଆହତଙ୍କୁ ୧.୭୫ କୋଟରୁ ଅଧିକ ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ୭୩୧ ଆବାସକ ଘର କ୍ଷତିଗ୍ରସ୍ତ ପାଇଁ ୮ କୋଟି ୫୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯାଇଛି । ୧୧୭୬ ବ୍ୟବସାୟିକ ଦୋକାନ କ୍ଷତିପୂରଣ ପାଇଁ ୧୧ କୋଟି ୨୮ ଲକ୍ଷରୁ ଅଧିକ ଅର୍ଥ ସହଯୋଗ କରାଯାଇଛି ।