ନୂଆଦିଲ୍ଲୀ, ଜୁନ୍ ୨୪ (ଖବର ଓଡ଼ିଶା): ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ, ୨୦୨୦ରେ ପରଲୋକ ହେବା ପୂର୍ବରୁ ପ୍ରାୟ ୩ ଦଶନ୍ଧି ଧରି ଯେଉଁ ବଙ୍ଗଳାରେ ରହୁଥିଲେ, ସେଠାରେ ରାଷ୍ଟ୍ରପତି ରାମାନଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କର ନୂଆ ଠିକଣା ହୋଇପାରେ । ୧୨ ଜନପଥସ୍ଥିତ ବଙ୍ଗଳାକୁ କୋବିନ୍ଦଙ୍କ ପାଇଁ ପ୍ରସ୍ତୁତ କରାଯାଉଛି । ନିକଟରେ ରାମନାଥ କୋବିନ୍ଦଙ୍କ ଝିଅ ଏହି ବଙ୍ଗଳାକୁ ନିରୀକ୍ଷଣ କରିଥିଲେ ।
ପୂର୍ବରୁ ଏହି ବଙ୍ଗଳାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆବଣ୍ଟିତ କରାଯାଇଥିଲା । ଏହି ବଙ୍ଗଳା ଲୁଟିୟନ୍ସ ଦିଲ୍ଲୀର ସବୁଠାରୁ ବଡ଼ ବଙ୍ଗଳା ମଧ୍ୟରେ ଅନ୍ୟତମ । ପରେ ବୈଷ୍ଣବଙ୍କୁ ପୃଥ୍ମୀରାଜରୋଡସ୍ଥିତ ଆବାସ ଆବଣ୍ଟିତ କରାଯାଇଥିଲା ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୧୨ ଜନପଥ ବଙ୍ଗଳା ଏପର୍ଯ୍ୟନ୍ତ ସରକାରୀଭାବେ କାହାରିକୁ ଆବଣ୍ଟିତ କରାଯାଇନାହିଁ । ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂଆ ଆଶିୟାନେ ଭାବେ ପ୍ରସ୍ତୁତ କରାଯାଉଛି । ନିଜର କାର୍ଯ୍ୟକାଳ ସମାପ୍ତ ହେଲା ପରେ ଏଥିରେ ସେ ରହିବେ । ସୂଚନାଯୋଗ୍ୟ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବ ।