ଗତକାଲି ରାତିରେ ଛତିଶଗଡରେ ଦେହତ୍ୟାଗ କରିଛନ୍ତି ଜୈନ ମୁନି ବିଦ୍ୟାସାଗରଜୀ ମହାରାଜ । ତାଙ୍କ ଦେହତ୍ୟାଗରେ ପୁରା ଦେଶରେ ଶୋକର ମାହୋଲ ସୃଷ୍ଟି ହୋଇଛି । ନୂଆଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧିବେଶନକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ କଥା ମନେପକାଇ ଭାବୁକ ହୋଇଛନ୍ତି । ଆଚାର୍ଯ୍ୟଙ୍କ ସହ ତାଙ୍କର ଦୀର୍ଘ ବର୍ଷର ସମ୍ପର୍କ ରହିଆସିଥିଲା । ତେବେ ତାଙ୍କୁ ମନେ ପକାଇ ମୋଦି ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ,ଆଚାର୍ଯ୍ୟ ଶ୍ରୀ 108 ବିଦ୍ୟାସାଗର ଜୀ ମହାରାଜଙ୍କ ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।
ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ପାଇଁ ତାଙ୍କର ମୂଲ୍ୟବାନ ପ୍ରୟାସ ସବୁବେଳେ ସ୍ମରଣୀୟ ହୋଇ ରହିବ । ସେ ସାରା ଜୀବନ ଦାରିଦ୍ର୍ୟ ଦୂରୀକରଣ ସହିତ ସମାଜରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ଲାଗିଥିଲେ। ଏହା ମୋର ସୌଭାଗ୍ୟ ଯେ ମୁଁ ତାଙ୍କ ଆଶୀର୍ବାଦ ଗ୍ରହଣ କରିପାରିଛି । ଗତ ବର୍ଷ ଛତିଶଗଡର ଚନ୍ଦ୍ରଗିରି ଜୈନ ମନ୍ଦିରରେ ତାଙ୍କ ସହ ମୋର ସାକ୍ଷାତ ମୋ ପାଇଁ ସ୍ମରଣୀୟ ହେବ।ତା’ପରେ ମୁଁ ଆଚାର୍ଯ୍ୟ ଜୀ ଙ୍କ ଠାରୁ ବହୁତ ପ୍ରେମ ଏବଂ ଆଶୀର୍ବାଦ ପାଇଥିଲି । ସମାଜରେ ତାଙ୍କର ଅପୂର୍ବ ଅବଦାନ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ ।