ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲ୍ରେ ଜୁନିୟର ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରିଛି।ଏଥିରେ ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟ ଅସହଯୋଗଭରା ରହିଛି। ଏଥିରେ ସିଆଇଏସଏଫକୁ କାମ କରିବାରେ ସମସ୍ୟା ହେଉଛି।
ଗୃହ ମନ୍ତ୍ରଣାଳୟ ନିଜ ଆବେଦନରେ ଏହା ମଧ୍ୟ କହିଛନ୍ତି, କୋର୍ଟଙ୍କ ଆଦେଶକ୍ରମେ ହସ୍ପିଟାଲ୍ର ସୁରକ୍ଷା ସିଆଇଏସଫଙ୍କ ହାତରେ। ମାତ୍ର ମେଡିକାଲରେ ସିଆଇଏସଏଫଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ଯବାନଙ୍କୁ ପ୍ରତିଦିନ ପାଖାପାଖ ଏକ ଘଣ୍ଟା ଯାତ୍ରା କରି ସେଠାରେ ପହଞ୍ଚିବାକୁ ପଡ଼ୁଛି। ଏହି କାରଣରୁ କୌଣସି ଜରୁରୀକାଳିନ ସ୍ଥିତିରେ ଅତିରିକ୍ତ ଫୋର୍ସ ମୁତୟନ କରିବା ସମ୍ଭବ ହୋଇ ପାରୁନି।
ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ସିଆଇଏସଏପ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛି। ଯଦି ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନିଅନ୍ତି ତେବେ ଅବମାନନା କାର୍ଯ୍ୟାନୁଷ୍ଠାନ ନିଆଯିବ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୫ ତାରିଖ ହେବ।
ସୂଚନାଯୋଗ୍ୟ, ଆରଜି କର ହସ୍ପିଟାଲରେ ସିଆଇଏସଏଫର ୯୭ ଯବାନ ମୁତୟନ ଅଛନ୍ତି। ଏଥିରୁ ୫୪ ଜଣ ହେଉଛନ୍ତି ମହିଳା। ସେମାନଙ୍କ ପାଇଁ ବି ଉଚିତ୍ ବ୍ୟବସ୍ଥା କରାଯାଇ ନାହିଁ। ସିଆଇଏସଏପଙ୍କୁ ସ୍ଥାନ ନ ମିଳିବା କାରଣରୁ ନିଜ ସୁରକ୍ଷା ଉପକରଣ ସଠିକ୍ ଭାବେ ରଖିବାକୁ ସମସ୍ୟା ଉପୁଜିଛି। ଏହାକୁ ନେଇ ଏବେ କୋର୍ଟରେ ମୁହାଁମୁହିଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ମମତା ସରକାର।