ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ଚାଲିଥିବା ଟଣାଓଟରା ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଇଡି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଯାଚିକା ଦାଖଲ କରି ଅଭିଯୋଗ କରିଛି ଯେ, ଜାନୁଆରୀ ୮ରେ କୋଲକାତାରେ ଆଇ ପ୍ୟାକ ମୁଖ୍ୟାଳୟ ଓ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନ ଉପରେ ଚଢାଉ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିଛନ୍ତି । ଏକ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ କଡା ପ୍ରଶ୍ନ କରିଛନ୍ତି ।
ସୁପ୍ରିମକୋର୍ଟରେ ଇଡି ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ପଶ୍ଚିମବଙ୍ଗର ସ୍ଥିତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ ଅଦାଲତରେ ଅନେକ ତଥ୍ୟ ରଖିଛନ୍ତି । ଅଭିଯୋଗ କରିଛନ୍ତି ଯେ, ଇଡିର ଟିମ୍ କୋଇଲା ଦୁର୍ନୀତି ସଂପର୍କିତ ପ୍ରମାଣ ସନ୍ଧାନରେ ଆଇ ପ୍ୟାକର କାର୍ଯ୍ୟାଳୟ ପହଞ୍ଚିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ପୋଲିସର ଶୀର୍ଷ ଅଧିକାରୀ ସେଠାରେ ବଳପୂର୍ବକ ପଶିଥିଲେ ।
ଚଢାଉ ସମୟରେ ପୋଲିସ ଅଧିକାରୀ ଇଡି ଅଫିସର ଓ କର୍ମଚାରୀଙ୍କୁ ଧମକ ଚମକ ଦେବା ସହ କୋଇଲ ଦୁର୍ନୀତି ସଂପର୍କିତ ପ୍ରମାଣ ନିଜ କବଜାକୁ ନେଇ ଯାଇଥିଲେ । ସଲିସିଟର ଜେନେରାଲ ଯୁକ୍ତି ବାଢିଛନ୍ତି ଯେ, ଯଦି ରାଜ୍ୟର ନେତୃତ୍ୱ ଯାଞ୍ଚ ଏଜେନ୍ସିର କାମରେ ବାଧା ଦେବେ ତେବେ ନିରପେକ୍ଷ ତଦନ୍ତ ଅସମ୍ଭବ ।
ଖାସ୍ କଥା ଇଡି ଏକ ନୂଆ ଯାଚିକା ଦାୟର କରି ପଶ୍ଚିମବଙ୍ଗ ପୋଲିସର ଶୀର୍ଷ ଅଧିକାରୀ ସହ ଡିଜିପି ରାଜୀବ କୁମାରଙ୍କୁ ସସପେଣ୍ଡ କରିବାକୁ ଦାବି କରିଛି । ଇଡି ଅଭିଯୋଗ କରିଛି ଯେ, ଏହି ସବୁ ଅଧିକାରୀ ମମତା ବାନାର୍ଜୀଙ୍କୁ ଆଇ-ପ୍ୟାକରେ ରେଡ ସମୟରେ ବାଧା ଦେବା ଏବଂ ପ୍ରମାଣ ହଟାଇବାରେ ସାହାଯ୍ୟ କରିଥିଲେ ।
ମାମଲା କଣ ?
ପୂରା ମାମଲା ପଶ୍ଚିମବଙ୍ଗରେ ହୋଇଥିବା ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲା ସହ ଜଡିତ । ଇଡି ତଦନ୍ତ କରୁଛି ଯେ, କଣ ଦୁର୍ନୀତିର ଅର୍ଥକୁ କଣ ରାଜନୈତିକ ଗତିବିଧି କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଜଡିତ ସଂସ୍ଥାରେ ବିନିଯୋଗ କରାଯାଇଛି । ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିର ରାଜନୈତିକ ପରାମର୍ଶଦାତା ଏଜେନ୍ସି ଆଇ-ପ୍ୟାକର ନିର୍ଦ୍ଦେଶକ ପ୍ରତୀକ ଜୈନ ଏହି ମାମଲାରେ ତଦନ୍ତ ପରିଧିରେ ଅଛନ୍ତି । ଜାନୁଆରୀ ୮ରେ ଏହି ତଦନ୍ତ ଆଧାରରେ ଚଢଉ କରାଯାଇଥିଲା ।