କୁପୱାଡ଼ା: ଜମ୍ମୁ କଶ୍ମୀରର କୁପୱାଡାରେ ଭାରତୀୟ ସେନା ଓ ପାକିସ୍ତାନୀ ସେନା ମଧ୍ୟରେ ଶନିବାର ମୁହାଁମୁହିଁ ହୋଇଛି। ଉତ୍ତର କଶ୍ମୀରରେ ନିୟନ୍ତ୍ରଣ ରେଖାର ମଚ୍ଛଲ (କୁପୱାଡା) ସେକ୍ଟରରେ ଭାରତୀୟ ଯବାନମାନେ ପାକିସ୍ତାନ ସେନାର ବୋର୍ଡର ଆକ୍ସନ ଟିମ୍ (ବାଟ୍)ର ଏକ ଆକ୍ରମଣକୁ ବିଫଳ କରିଛି। ବାଟ୍ରେ ସାମିଲ ଜଣେ ଆତଙ୍କବାଦୀକୁ ନିପାତ କରାଯାଇଛି। ଅନ୍ୟ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।
ପାକିସ୍ତାନୀ ସେନାର ବାଟ୍ ଟିମ୍ରେ ପାକିସ୍ତାନୀ ସେନାର କମାଣ୍ଡୋ ବ୍ୟତୀତ ଅଲ-ବଦର, ତହରୀକୁଲ ମୁଜାହିଦୀନ, ଲଶ୍କର ଓ ଜୈସ-ଇ ଅହମଦର ଆତଙ୍କବାଦୀମାନେ ସାମିଲ ଅଛନ୍ତି। ମଚ୍ଛରରେ ସେନାର ଅଭିଯାନ ଜାରି ରହିଛି। ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।
ସୁରକ୍ଷାବାହିନୀର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଶନିବାର ଭୋରରୁ ମଚ୍ଛଲ ସେକ୍ଟରରେ କୁମକାଡୀ ଅଗ୍ରିମ ଛକରେ ମୁତୟନ ଯବାନ କିଛି ଲୋକଙ୍କୁ ଛକ ଅଡ଼କୁ ଅଗ୍ରସର ହେଉଥିବା ଦେଖିଥିଲେ। ଯବାନମାନେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। କିନ୍ତୁ ଯବାନମାନଙ୍କର ସ୍ବର ଶୁଣିବା ମାତ୍ରେ ଅଚିହ୍ନା ଲୋକମାନେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏହା ପରେ ସେଠାରୁ ପଳାୟନ କରିବାକୁ ବାହାରିଥିଲେ। ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିପାତ ହୋଇଥିଲା। ତେବେ ତିନି ଜଣ ଯବାନ ଆହତ ହୋଇଥିଲେ।