ନୂଆଦିଲ୍ଲୀ: ପଞ୍ଜାବରେ ବିନାଶକାରୀ ବନ୍ୟା ହାହାକାର ସ୍ଥିତି ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୯ରେ ପଞ୍ଜାବ ଯିବେ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ପିଏମ ମୋଦୀ ଗୁରୁଦାସପୁର ଯାଇ ତୃଣମୂଳସ୍ତରର ସ୍ଥିତି ଦେଖିବେ । ଏହା ସହିତ ବଡ ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରି ପାରନ୍ତି । ବନ୍ୟାରେ ମୃତକଙ୍କ ସଂଖ୍ୟା ବଢି ୪୬ରେ ପହଞ୍ଚିଛି । ୧.୭୫ ଲକ୍ଷ ହେକ୍ଟର ଜମିରେ ଫସଲ ବରବାଦ ହୋଇ ଯାଇଛି । ଅଧିକାରୀ ଶନିବାର ଏ ସଂପର୍କରେ ସୂଚନା ଦେଇଛନ୍ତି ।
ଅଧିକାରୀ କହିଛନ୍ତି, ଏନଡିଆରଏଫ, ସେନା, ବିଏସଏଫ, ପଞ୍ଜାବ ପୋଲିସ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ରିଲିଫ ଏବଂ ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ସ୍ତରରେ ଚାଲିଛି । ପଞ୍ଜାବ ବର୍ତ୍ତମାନ ଦଶନ୍ଧିରେ ଆସିଥିବା ସବୁଠୁ ଭୟଙ୍କର ବନ୍ୟାର ସମ୍ମୁଖୀନ ହେଉଛି । ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରର ଜଳଗ୍ରହଣ କ୍ଷେତ୍ରରେ ପ୍ରବଳ ବର୍ଷା କାରଣରୁ ସତଲେଜ, ବ୍ୟାସ ଓ ରବି ନଦୀ ଫୁଲି ଉଠିବାରୁ ପଞ୍ଜାବରେ ଭୀଷଣ ବନ୍ୟା ଦେଖା ଦେଇଛି ।
ପୁଣି ନିକଟ ଦିନରେ ପଞ୍ଜାବରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ଗମ୍ଭୀର ହୋଇ ପଡିଛି । ଏଥିରେ ଲୋକଙ୍କ ମୁସ୍କିଲ ବଢି ଯାଇଛି । ରାଜ୍ୟର ଡ୍ୟାମଗୁଡିକରେ ଜଳସ୍ତର ହ୍ରାସ ପାଇଥିଲେ ହେଁ ପ୍ରଭାବିତ ଅଞ୍ଚଳରେ ପାଣି କମୁନି । ସଦ୍ୟତମ ସୂଚନା ଅନୁସାରେ, ୩.୮୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ଘଟିଛି । ଅଗଷ୍ଟ ୧ରୁ ସେପ୍ଟେମ୍ବର ୫ ମଧ୍ୟରେ ୧୪ ଜିଲ୍ଲାରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ୨୩ ଜିଲ୍ଲାରେ ୧୯୯୬ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନଠୁ ନେଇ ଅନେକ ସଂଗଠନ ପ୍ରଭାବିତ ଲୋକଙ୍କ ନିକକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାରେ ଜୁଟି ଯାଇଛନ୍ତି । ସମସ୍ତେ ସହାୟତାର ହାତ ବଢାଇ ବାଲିଛନ୍ତି ।