ବେଙ୍ଗାଲୁରୁ: ସେପଟେ ଚାଲିଥିଲା ମୃତ୍ୟୁର ତାଣ୍ଡବ । ଆଉ ଏପଟେ ଚାଲିଥିଲା ବିଜୟ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମରେ ବାହାରେ ଗୁରୁବାର କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପ୍ରଶଂସକଙ୍କ ମଧ୍ୟରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରାୟ ୧୧ ଜଣ କ୍ରିକେଟ୍ ପ୍ରେମୀଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏହା ସହିତ ୫୦ ଜଣ ଏବେବି ଆହତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନେ ଆଇସିୟୁରେ ଚିକିତ୍ସାଧୀନ ଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ମୃତକଙ୍କ ପରିଚୟ ସାର୍ବଜନୀନ ହୋଇନ ଥିବାବେଳେ କେତେ ଜଣଙ୍କ ପ୍ରାଣହାନୀ ଘଟିଛି ସେ ନେଇ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ ।
ବୁଧବାର ବିଜୟୀ ଦଳ ଆରସିବିର ସ୍ୱାଗତ ପାଇଁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା । ନିଜର ପ୍ରିୟ ଖେଳାଳୀକୁ ଦେଖିବାକୁ ପାଇଁ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ପ୍ରେମୀ ଭିଡ଼ ଜମାଇଥିଲେ । କାହା ପାଖରେ ଟିକେଟ୍ ଥିଲା ତ ଆଉ କାହା ପାଖରେ ଟିକେଟ୍ ନ ଥିଲା । କିଏ ଗଛ ଉପରେ ଚଢ଼ି ଯାଇଥିଲା ତ ଆଉ କିଏ ପାର୍କିଂ ହୋଇଥିବା କାର୍ ଉପରେ ଚଢ଼ିଯାଇଥିଲେ । ଯେଉଁ କାର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । ସେପଟେ ରାସ୍ତାରେ ଲୋକଙ୍କ ଭିଡ଼ ଯୋଗୁଁ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଯାହାକୁ ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ନାକେଦମ୍ ହୋଇଯାଇଥିଲା । ଏପରିକି ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୃଦ୍ୟୁ ଲାଠି ଚାଳନା କରିବାକୁ ବାଧ୍ୟ ହୋଇଥିଲା । ସେହିପରି ଗୋଟିଏ ଗେଟ୍ ଖୋଲିବା ବିଳମ୍ବ ହେବାରୁ ଲୋକମାନେ ଗେଟ୍ ଭାଙ୍ଗିବାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।
ତେବେ ଏହାରି ମଧ୍ୟରେ ଦଳାଚକଟା ହୋଇଥିଲା । କିଛି ପ୍ରଶଂସକ ରାସ୍ତା ଉପରେ ଉତ୍ସବ ମନାଇଥିଲେ । ଏହି ସମୟରେ ଗେଟ୍ ଖୋଲିଲା ବୋଲି ଲୋକଙ୍କ ମଧ୍ୟରେ ପ୍ରଚାର ହୋଇଥିଲା । ଫଳରେ ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ । ଏହି ସମୟରେ ଦଳାଚକଟା ହୋଇଥିଲା । ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ଜଣେ ନାବାଳକ ଏବଂ ଜଣେ ମହିଳା ଥିବା ମଧ୍ୟ କୁହାଯାଉଛି । ତେବେ ଦଳାଚକଟାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଆଜି ଷ୍ଟାଡିୟମରେ ସୁରକ୍ଷା ପାଇଁ ୫୦୦୦ ହଜାର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା ବୋଲି କୁହାଯାଉଛି ।
ସେପଟେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଘଟଣାର ଦୁଃଖ ପ୍ରକାଶ କରିବା ସହିତ କେତେଜଣଙ୍କର ମୃତ୍ୟୁ ହୋଇଛି ସେ ନେଇ ତାଙ୍କ ପାଖରେ କୌଣସି ସଠିକ୍ ସୂଚନା ନ ଥିବା କହିଛନ୍ତି । ସେ ତୁରନ୍ତ ଘଟଣା ସ୍ଥଳକୁ ଯାଇଛନ୍ତି ।
ଅନ୍ୟପକ୍ଷରେ ଗତକାଲି ଆରସିବି ଆଇପିଏଲ୍ ଫାଇନାଲ ଜିତିଥିବାବେଳେ ତୁରନ୍ତ ବେଙ୍ଗାଲୁରୁରେ ବିଜୟ ଉତ୍ସବ ଆୟୋଜନ କରାଯାଇଥିଲା । ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଆୟୋଜନ କରିବାରେ କର୍ଣ୍ଣାଟକ ସରକାର ବିଫଳ ହୋଇଥିବା କୁହାଯାଉଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଆଇପିଏଲ୍ ଫାଇନାଲରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଆରସିବି ବିଜୟ ମୁକୁଟ ପିନ୍ଧିଥିଲା । ଆରସିବି ପ୍ରଥମ ଥର ପାଇଁ ଏହି ବିଜୟ ହାସଲ କରିଛି । ଯେଉଁଥିପାଇଁ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । ପଡ଼ିଆରେ ଖୁସିର ଆତ୍ମବିଭୋର ହୋଇ କାନ୍ଦିବାକୁ ଲାଗିଥିଲେ ।