ମୋଦୀ ଓ ଶାହାଙ୍କୁ ଅନୁପ୍ରବେଶକାରୀ କହିବା ପରେ ନିର୍ମଳାଙ୍କୁ 'ନିର୍ବଳା' କହିଲେ କଂଗ୍ରେସ ନେତା ଅଧୀର ରଞ୍ଜନ
Khabar Odisha:politics-odisha-adhir-ranjan-chaudhary-says-finance-minister-nirbala
ନୂଆଦିଲ୍ଲୀ, ଡିସେମ୍ବର୦୨(ଖବର ଓଡ଼ିଶା):

ଲୋକସଭାରେ ସୋମବାର ଅନେକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଅନୁପ୍ରବେଶକାରୀ କହିବା ପରେ ବିଜେପି ଏହାକୁ ନେଇ ତୀବ୍ର ବିରୋଧ କରିଥିଲା। କିଛି ସମୟ ନଯାଉଣୁ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କିଛି ଏମିତି ବୟାନ ଦେଇଛନ୍ତି ଯାହା ଉପରେ ବିବାଦ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। କର୍ପୋରେଟ୍ ଟ୍ୟାକ୍ସ ଉପରେ ଆଲୋଚନା ବେଳେ ଅଧୀରଞ୍ଜନ ଚୌଧୁରୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ‘ନିର୍ବଳା’ ସୀତାରମଣ କହିଛନ୍ତି। 

ସୋମବାର କର୍ପୋରେଟ୍ ଟ୍ୟାକ୍ସ ଉପରେ ସଂସଦର ନିମ୍ନ ସଦନ ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବିବୃତି ରଖିଥିଲେ। ମାତ୍ର ଟ୍ୟାକ୍ସ  ହ୍ରାସକୁ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବିରୋଧ କରିଥିଲେ। ଏହି ସମୟରେ ସେ  କହିଛନ୍ତି ଯେ, ଆମେ ଆପଣଙ୍କର ବହୁତ ସମ୍ମାନ କରୁ, ମାତ୍ର କେବେ କେବେ ମୋତେ ଆପଣଙ୍କୁ ନିର୍ମଳା ପରିବର୍ତ୍ତେ ନିର୍ବଳା ସୀତାରମଣ କହିବାକୁ ମନ କରେ, କାରଣ ଆପଣ ମନ୍ତ୍ରୀ ପଦରେ ତ ଅଛନ୍ତି, ମାତ୍ର ଆପଣ ଯାହା ଚାହୁଁଛନ୍ତି ତାହା କହି ପାରୁ ନାହାନ୍ତି। 

ଏହାର ଗୋଟିଏ ଦିନ ପୂର୍ବରୁ ଅଧୀର ରଞ୍ଜନ ଚୌଧୁରୀ ଏନଆରସିର ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଅନୁପ୍ରବେଶକାରୀ କହିଥିଲେ। ସେ କହିଥିଲେ ଯେ, ଗୁଜରାତରୁ ଆସି ଦିଲ୍ଲୀରେ ରହିଗଲେ। ତାଙ୍କର ଏହି ବୟାନକୁ ନେଇ ଆଜି ଗୃହରେ ହଙ୍ଗାମା  ହୋଇଥିଲା। 

ଉଲ୍ଲେଖଯୋଗ୍ୟ, କଂଗ୍ରେସ ପାର୍ଟି କ୍ରମାଗତ ଅର୍ଥବ୍ୟବସ୍ଥା ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିବା ସହିତ ସମାଲୋଚନା କରୁଛି। ଲୋକସଭାରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ୟୁଏସ-ଚୀନ ମଧ୍ୟରେ ବାଣିଜ୍ୟ ଲଢ଼େଇରେ ପରବର୍ତ୍ତୀ ପ୍ରଭାବର ସଙ୍କେତ ମିଳିଛି। ଅନେକ କର୍ପୋରେଟ୍ ଓ ବହୁରାଷ୍ଟ୍ରୀୟ କମ୍ପାନୀ ଚୀନରୁ ବାହାରିବାକୁ ଚାହୁଁଛନ୍ତି। ତେଣୁ ଏମିତି ସମୟରେ ଅନ୍ତରାଷ୍ଟ୍ରୀୟ କମ୍ପାନୀକୁ ଭାରତ ପ୍ରତି ଆକର୍ଷିତ କରିବା ଲାଗି କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରିବା ଉପଯୁକ୍ତ ସମୟ ଥିଲା।

Subscribe

National International State Sports Entertainment