ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ, ଏବେ ଯାହା ବି ଆଲୋଚନା ହେବ ତାହା ପିଓକେ ଉପରେ ହିଁ ହେବ
Khabar Odisha:national-odisha-rajnath-singh-said-if-talks-are-held-with-pak-it-will-now-be-on-pok
ପଞ୍ଚକୁଲା/ନୂଆଦିଲ୍ଲୀ, ଅଗଷ୍ଟ୧୮(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରକ୍ତଚାଉଳ ଚୋବାଉଥିବା ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚେତାବନୀ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହ ଏବେ ଯାହା ବି ଆଲୋଚନା ହେବ ତାହା ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ହିଁ ହେବ। ପ୍ରତିରକ୍ଷା ମନ୍ତ୍ରୀ ରବିବାର ହରିୟାଣାର କାଲକାରେ ଏକ ଜନସଭାକୁ ସମ୍ଵୋଧିତ କରି ଏହି କଥା କହିଛନ୍ତି। ଉଲ୍ଲେଖଯୋଗ୍ୟ କାଶ୍ମୀର ପରେ ପିଓକେରେ ମଧ୍ୟ ଭାରତ କିଛି ବଡ଼ ଧରଣର କରିବାର ଭୟ ପାକିସ୍ତାନକୁ ଗତ କିଛି ଦିନ ହେବ ଘାରିଥିଲା। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଭୟ ଘାରିଥିଲା ଯେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଭାରତ ଏବେ ପିଓକେରେ ବାଲାକୋଟଠୁ ମଧ୍ୟ ବଡ଼ ଧରଣ କାର୍ଯ୍ୟାନୁଷ୍ଠାନ କରିପାରେ। 

ରାଜନାଥ ସିଂହ କହିଛନ୍ତି ଯେ, ପୁଲଓ୍ଵାମାରେ ଆମର ବାହାଦୂର ସୁରକ୍ଷାବଳଙ୍କ ସହିତ ଯାହା ଘଟିଗଲା, ଏହା ପରେ ୫୬ ଇଞ୍ଚ ଛାତିର ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ଯେ ଇଟାର ଜବାବ ପଥରରେ ଦିଆଯିବ। ଆପଣ ଦେଖିଥିବେ ଯେ ବାୟୁସେନାର ଯବାନ ବାଲାକୋଟରେ ପଶି ଆତଙ୍କବାଦୀଙ୍କୁ ମୂଳପୋଛ କରିବାରେ ସଫଳ ହେଲେ। ରାଜନାଥ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ପୂର୍ବରୁ କହୁଥିଲେ ଯେ କିଛି ହୋଇ ନାହିଁ, ଗୋଟିଏ ଲୋକ ବି ମରି ନାହାନ୍ତି। ଏବେ ପିଓକେରେ ଛିଡ଼ା ହୋଇ କହୁଛନ୍ତି ଯେ, ଭାରତ ବାଲାକୋଟ୍ ଏୟାରଷ୍ଟ୍ରାଇକଠୁ ବି ବଡ଼ କାର୍ଯ୍ୟାନୁଷ୍ଠାନ ପିଓକରେ କରି ପାରେ। ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ବି ସ୍ଵୀକାର କରିଛନ୍ତି ଯେ, ବାଲାକୋଟରେ ଭାରତ ବଡ଼ ହମଲା କରିଥିଲା। 

୩୭୦ରେ  ବିଳିବିଳେଇ ହେଉଛି ପଡ଼ୋଶୀ

ପାକିସ୍ତାନ ଉପରେ ହମଲା କରି ଗୃହମନ୍ତ୍ରୀ କହିଛନ୍ତି ଯେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିବା ପରେ ଆମର ଏକ ପଡ଼ୋଶୀ ରକ୍ତଚାଉଳ ଚୋବାଉଛି। ଏହାର ମତିଭ୍ରମ ଘଟିଛି। ଏବେ ଏହି ପଡୋଶୀ ଦେଶ ବାରଦ୍ଵାର ବୁଲି କହୁଛି ଯେ, ଆମକୁ ବଞ୍ଚାଅ। ରାଜନାଥ କହିଛନ୍ତି ଆମେ କଣ ଅପରାଧ କଲୁ  ଯେ ପାକିସ୍ତାନ ଆମକୁ ଫମ୍ପା ଧମକ ଦେଉଛି। କିନ୍ତୁ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମଧ୍ୟ ପାକିସ୍ତାନକୁ କହି ଦେଇଛନ୍ତି ଯେ, ଭାରତ ସହିତ ବସି ଆଲୋଚନା କର, ଆମ ପାଖକୁ ଆସିବା କିଛି ଦରକାର ନାହିଁ। 

ଆଗକୁ ଯାହା ବି କଥା ହେବ ତାହା ପିଓକରେ ଉପରେ 

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆମର ସରକାର ରହୁ କି ନ ରହୁ କିନ୍ତୁ ଭାରତ ମାତାର ମସ୍ତକକୁ ନଇଁବାକୁ ଦେବୁନାହିଁ। ପାକିସ୍ତାନର ଲୋକେ କହୁଛନ୍ତି ଆଲୋଚନା ହେବା ଉଚିତ୍। କିନ୍ତୁ ପାକିସ୍ତାନ ସହ ତେବେ ଯାଇ ଆଲୋଚନା ହେବ ଯେବେ ନିଜ ମାଟିରେ ସଞ୍ଚାଳିତ ଆତଙ୍କବାଦକୁ ସେ ନିପାତ କରିବ। ନଚେତ୍ ପାକିସ୍ତାନ ସହ ଆଲୋଚନା କରିବାର କୌଣସି କାରଣ ନାହିଁ। ରାଜନାଥ ଏହା ମଧ୍ୟ କହିଛନ୍ତି ଯେ, ଆଗକୁ ଯାହା ବି କିଛି ଆଲୋଚନା ହେବ ତାହା ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ। 

Subscribe

National International State Sports Entertainment