ଦେଶର 80 କୋଟି ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା, 2ଟଙ୍କାରେ ଗହମ ଓ 3 ଟଙ୍କାରେ ମିଳିବ କିଲେ ଚାଉଳ
Khabar Odisha:govt-to-provide-rice-at-rs-3
ନୂଆଦିଲ୍ଲୀ, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

ଦେଶରେ ଥିବା ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ବଡ ଘୋଷଣା। ଆସନ୍ତା ୩ ମାସ ପାଇଁ ଦେଶର ପ୍ରାୟ ୮୦ କୋଟି ଗରିବ ଲୋକ ଓ ଠିକା ଶ୍ରମିକଙ୍କୁ ଗହମ କିଲୋଗ୍ରାମ ପିଛା ୨ ଟଙ୍କା ଓ ଚାଉଳ କିଲୋଗ୍ରାମ ପିଛା ୩ ଟଙ୍କାରେ ଯୋଗାଇଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଖର୍ଚ୍ଚ କରିବେ ଓ ଏହା ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ଦିଆଯିବ ବୋଲି ସେ କହିଛନ୍ତି ।  ସେ ଆହୁରି ମଧ୍ୟ କହିଥଲେ ଯେ କରୋନାର ମୁକାବିଲା କରିବା ପାଇଁ ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ ଜରୁରୀ । ଏଥିପାଇଁ ଲକଡାଉନ କରାଯାଇଛି । କିନ୍ତୁ ଏହି ସମୟରେ ସବୁ ଅତ୍ୟାବଶ୍ୟକ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଉପଲବ୍ଧ ରହିବ ।

ସାରା ବିଶ୍ୱରେ କରୋନାକୁ ନେଇ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି । ସମଗ୍ର ବିଶ୍ୱରେ 4 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ 16 ହଜାରରୁ ଅଧିକ ଲୋକ ଏହି ମହାମାରୀରେ ପ୍ରାଣ ହରାଇ ସାରିଲେଣି। ଭାରତରେ 500 ରୁ ଉର୍ଦ୍ଧ୍ୱ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କଠୋର ପଦକ୍ଷେପ ନେଇ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଣ ଜାରି ରହିବ । 

  • Tags:

Subscribe

National International State Sports Entertainment