ଭୁବନେଶ୍ବର: ଲୋଭ ମଣିଷର କ୍ଷତି ପହଞ୍ଚାଇଥାଏ। ସରକାରୀ ଚାକିରି କରୁଥିବା ଅନେକ ଉଚ୍ଚପଦସ୍ଥ ଅଧିକାରୀ ଲକ୍ଷାଧିକ ଟଙ୍କା ଦରମା ପାଉଥିଲେ ମଧ୍ୟ, ସାଧାରଣ ଲୋକଙ୍କ କାମ ବିନା ଲାଞ୍ଚରେ କରନ୍ତି ନାହିଁ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଅନେକ କର୍ମଚାରୀ ଧରାପଡୁଥିଲେ ମଧ୍ୟ ଏଥିରୁ ଅନ୍ୟମାନେ କିଛି ଶିଖି ପାରୁ ନାହାନ୍ତି ଅଥବା ଦୁଃସାହାସ କରୁଛନ୍ତି। ଏହି କ୍ରମରେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଖଣି ଅଧିକାରୀ (ଉପନିର୍ଦ୍ଦେଶକ) ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଲିଜ୍ ଅବଧି ପରେ ବୃଦ୍ଧି ପ୍ରଦାନ ଏବଂ ବାଲିର ସ୍ପଟ୍ ନିଲାମରେ ଭବିଷ୍ୟତର ଲାଭ ଯୋଗାଇବା ପାଇଁ ଜଣେ ଲିଜଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଏହାକୁ ଗ୍ରହଣ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗତକାଲି ଧରାପଡ଼ିଛନ୍ତି। ଅଭିଯୁକ୍ତ ଶ୍ରୀ ରାଉତଙ୍କ କବଜାରୁ ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କା ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।
ଲିଜ୍ ଅବଧି ବୃଦ୍ଧି ପାଇଁ ଜଣେ ଖଣି ଲିଜଧାରୀଙ୍କୁ ସତ୍ୟଜିତ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଲିଜଧାରୀ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ସତ୍ୟଜିତଙ୍କ ଅସତ କାମ ଉପରେ ଚଢ଼ଉ ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଡିଏ ଦୃଷ୍ଟିରୁ ଶ୍ରୀ ରାଉତଙ୍କ ଲିଙ୍ଗରାଜ ନଗର, କଟକସ୍ଥିତ ଘର, ମାହାଙ୍ଗା ଏବଂ ମାହାଙ୍ଗାର ଓଲକାନାରେ ଥିବା ଘର ଉପରେ ଏକକାଳୀନ ତଲାସ କରାଯାଉଛି।
ଭିଜିଲାନ୍ସ ବିଭାଗ କହିଛି ଜୟପୁରରେ ଥିବା ତାଙ୍କ ବାସଭବନରୁ ଏପର୍ଯ୍ୟନ୍ତ ୨.୯୦ ଟଙ୍କା ନଗଦ ଜବତ କରାଯାଇଛି। ତେଣୁ ମୋଟ ନଗଦ ଜବତ ୪.୯୦ ଲକ୍ଷ ଟଙ୍କା ହୋଇଛି।
ଅଧିକ ପଢ଼ନ୍ତୁ: ମୁମ୍ବାଇରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ପରିସ୍ଥିତି ଗମ୍ଭୀର