ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ମଙ୍ଗଳବାର ବିଳମ୍ବିତ ରାତିରେ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କୁ ଭେଟିଥିଲେ। ସନ୍ଧ୍ୟା ୭:୩୦ରେ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଏଠାକୁ ଅଣାଯାଇଥିଲା। ସୂତ୍ର ଅନୁଯାୟୀ, ଡାକ୍ତର ସୁଶୀଳା କଟାରିଆଙ୍କ ତତ୍ତ୍ୱାବଧାନରେ ହସ୍ପିଟାଲର ଆଇସିୟୁ ୮ରେ ଥିବା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ।
ଉଲ୍ଲେଖନୀୟ ଯେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସାମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ସନ୍ଧ୍ୟାରେ ଅଧିକ ଚିକିତ୍ସା ପାଇଁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ଅଣାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା କାରଣରୁ ଉନ୍ନତ ଚିକିତ୍ସା ସେବା ପାଇଁ କୋର୍ଟ ତାଙ୍କୁ ମେଦାନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସନ୍ଧ୍ୟା ପ୍ରାୟ ୭:୩୦ ରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଦାନ୍ତ ମେଡିସିଟିରେ ଭର୍ତ୍ତି କରାଯାଇଥିଲା।
ସୋନମ ୱାଙ୍ଗଚୁକଙ୍କ ଆଗମନ ସୂଚନା ପରେ, ମେଦାନ୍ତ ହସ୍ପିଟାଲ ଏବଂ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ହସ୍ପିଟାଲ ବାହାରେ ଏକ ବଡ଼ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ କର୍ମଚାରୀମାନେ ହସ୍ପିଟାଲ ଗେଟ୍ ଦେଇ ପ୍ରବେଶ କରୁଥିବା ଏବଂ ବାହାରୁଥିବା ସମସ୍ତଙ୍କୁ ନିରନ୍ତର ପଚରାଉଚରା କରୁଛନ୍ତି।
ଚେକ୍ ଏବଂ ପରିଚୟପତ୍ର ବିନା କାହାକୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ହସ୍ପିଟାଲ ପରିସରରେ ଏକ ବଜ୍ର ଗାଡ଼ି ମଧ୍ୟ ମୁତୟନ କରାଯାଇଛି।
ଅଧିକ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ-ଧର୍ମେନ୍ଦ୍ର ପ୍ରଧାନ