ଓଡିଶା ପାଳୁଛି ଉତ୍କଳ ଦିବସ : ୮୭ ବର୍ଷ ତଳେ ଓଡ଼ିଶାକୁ ମିଳିଥିଲା ଭାଷାଭିତିକ ରାଜ୍ୟ ମାନ୍ୟତା
Khabar Odisha:Today-Odisha-celebrates-Utkal-Divas
ଖବର ଓଡିଶା : 01/04/2023

ବନ୍ଦେ ଉତ୍କଳ ଜନନୀ, ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ | ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ | ପୂର୍ବରୁ ଓଡିଶା ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଏହାରି ଭିତରେ ୮୭ ବର୍ଷ ପୂର୍ଣ୍ଣ ହୋଇଛି । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡ଼ିଆ । ରାଜ୍ୟର ପ୍ରତି ଜିଲ୍ଲାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । କେବଳ ଓଡ଼ିଶା ନୁହେଁ, ନୂଆଦିଲ୍ଲୀ ଓ ଅନ୍ୟାନ୍ୟ ନଗରୀରେ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି । ଉତ୍କଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ହରେକୃଷ୍ଣ ମହତାବ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ,ସ୍ୱଭାବ କବି ଗଂଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ଉତ୍କଳ ଦିବସ ଗଠନରେ ଅବଦାନ ଅବିସ୍ମରଣୀୟ। ଓଡିଶାର ଶେଷ ରାଜା ମୁକୁନ୍ଦଦେବଙ୍କ ପରାଜୟ ଏବଂ ଦେହାନ୍ତ ପରେ ୧୫୬୮ ମସିହାରେ ଏହା ରାଜନୈତିକ ପରିଚୟ ସମ୍ପୂର୍ଣ୍ଣ ହରାଇଥିଲା। ବ୍ରିଟିଶ ଶାସନରୁ ଅଲଗା କରି ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା। ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସେହିପରି କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ସଜା ଯାଇଛି ।

Subscribe

National International State Sports Entertainment