ୱାଶିଂଟନ୍: ନିକଟରେ ଆମେରିକାର ଟ୍ରେଜେରୀ ଡିପାର୍ଟମେଣ୍ଟ ଚୀନର ସରକାରୀ ପ୍ରୋତ୍ସାହିତ ହ୍ୟାକରଙ୍କ ଦ୍ୱାରା ସାଇବର ଆକ୍ରମଣର ଶିକାର ହୋଇଛି। ଅଧିକାରୀଙ୍କ କହିବାନୁସାରେ, ହ୍ୟାକରମାନେ ଟ୍ରେଜେରୀ ବିଭାଗର ତୃତୀୟ ପକ୍ଷ ସଫ୍ଟୱେର ପ୍ରୋଭାଇଡରର ସିଷ୍ଟମରୁ ଅନେକ ୱାର୍କଷ୍ଟେସନ ଏବଂ ଅଣବର୍ଗୀକୃତ କାଗଜପତ୍ର ନେଇଥିଲେ।
ଡିସେମ୍ବର ୮ତାରିଖରେ ଏହି ସାଇବର ଆକ୍ରମଣ ହୋଇଥିଲା। ଏହି ସମୟରେ ଏକ ତୃତୀୟ ପକ୍ଷ ସଫ୍ଟୱେୟାର ପ୍ରୋଭାଇଡର ବିୟଣ୍ଡ ଟ୍ରଷ୍ଟ ଟ୍ରେଜେରୀ ଡିପାର୍ଟମେଣ୍ଟକୁ ସୂଚନା ଦେଇଥିଲା ଯେ ହ୍ୟାକରମାନେ ସେମାନଙ୍କ ସୁରକ୍ଷାକୁ ବାଦ୍ ଦେଇ ଅନେକ ୱାର୍କଷ୍ଟେସନକୁ ରିମୋଟ୍ ଆକସେସ୍ ହାସଲ କରିଛନ୍ତି। ଏହି ସମୟରେ ହ୍ୟାକରମାନେ ସେବାର ସୁରକ୍ଷା ପାଇଁ ବ୍ୟବହୃତ ଚାବି ମଧ୍ୟରୁ ଗୋଟିଏ ଚୋରି କରି ନେଇଥିଲେ। ଏହି ଘଟଣାକୁ ଏକ ବଡ଼ ସାଇବର ସିକ୍ୟୁରିଟି ଘଟଣା ଭାବେ ବର୍ଣ୍ଣନା କରାଯାଇଥିବା ବେଳେ ଏଫବିଆଇ ଓ ଅନ୍ୟାନ୍ୟ ଏଜେନ୍ସି ଏହାର ଗଭୀର ତଦନ୍ତ ଚଳାଇଛନ୍ତି।
କେତେ ୱାର୍କଷ୍ଟେସନ ପ୍ରଭାବିତ ହୋଇଛି ସେ ନେଇ ଟ୍ରେଜେରୀ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ଜାରି କରିନାହିଁ। କେଉଁ ପ୍ରକାରର ଦସ୍ତାବିଜ କିମ୍ୱା ଡାଟା ଆକସେସ୍ ହୋଇଛି। ତେବେ ଏପର୍ଯ୍ୟନ୍ତ ହ୍ୟାକରମାନେ ଟ୍ରେଜେରି ତଥ୍ୟ ହାସଲ କରିଚାଲିଥିବାର କୌଣସି ପ୍ରମାଣ ମିଳିନାହିଁ ବୋଲି ବିଭାଗ ଦର୍ଶାଇଛି।
ଟ୍ରେଜେରୀ ବିଭାଗ ଏହି ସେବାକୁ ଅଫଲାଇନ କରିଛି। ସେମାନେ ଦାବି କରିଛନ୍ତି ଯେ ବିଭାଗର କୌଣସି ସୂଚନା ଉପରେ ହ୍ୟାକର୍ସଙ୍କର ଆଉ ନିୟନ୍ତ୍ରଣ ନାହିଁ। ସହକାରୀ ଟ୍ରେଜେରି ସଚିବ ଅଦିତି ହାର୍ଦ୍ଦିକର କହିଛନ୍ତି ଯେ ଟ୍ରେଜେରୀ ଏହାର ସିଷ୍ଟମ ପ୍ରତି ସାଇବର ସୁରକ୍ଷା ବିପଦକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ଗତ ୪ ବର୍ଷ ମଧ୍ୟରେ ବିଭାଗ ନିଜର ସାଇବର ଡିଫେନ୍ସ ସିଷ୍ଟମକୁ ସୁଦୃଢ଼ କରିଛି। ଏଭଳି ଆକ୍ରମଣରୁ ନିଜ ଆର୍ଥିକ ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ସେମାନେ ଘରୋଇ ଓ ସରକାରୀ କ୍ଷେତ୍ର ସହ ମିଶି କାମ କରୁଛନ୍ତି।
ଏହି ଘଟଣା ସାଇବର ଆକ୍ରମଣକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦକୁ ଆହୁରି ଗଭୀର କରିଛି। ନିକଟରେ ସଲ୍ଟ ଟାଇଫୁନ୍ ନାମକ ଏକ ସାଇବର ଆକ୍ରମଣରେ ଚୀନ୍ ଗୁପ୍ତଚରମାନେ ଅନେକ ଆମେରିକୀୟ ଟେଲିକମ୍ କମ୍ପାନୀର ନେଟୱାର୍କ ହ୍ୟାକ୍ କରିଥିଲେ। ଏହି ଆକ୍ରମଣର ଏକ ଅଂଶ ଭାବରେ ଲୋକଙ୍କ କଲ୍ ରେକର୍ଡ ଏବଂ ବ୍ୟକ୍ତିଗତ ଯୋଗାଯୋଗ ଚୀନ୍ ସରକାରୀ ଅଧିକାରୀଙ୍କୁ ଦିଆଯାଇଥିଲା। ଶୁକ୍ରବାର ହ୍ୱାଇଟ୍ ହାଉସ୍ର ଜଣେ ଶୀର୍ଷ ଅଧିକାରୀ ପ୍ରକାଶ କରିଛନ୍ତି ଯେ ଏହି ସାଇବର ଗୁଇନ୍ଦାଗିରି ଦ୍ୱାରା ପ୍ରଭାବିତ କମ୍ପାନୀସଂଖ୍ୟା ୯ରେ ପହଞ୍ଚିଛି।
ଅଧିକ ପଢ଼ନ୍ତୁ: ମୁଇଜ୍ଜୁଙ୍କୁ ହଟାଇବାକୁ ଚାହୁଁଥିଲେ ବିରୋଧୀ ଦଳ?