ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ମୂର୍ତ୍ତିଶିଳ୍ପୀ ଜୟଦୀପ ଆପ୍ଟେଙ୍କୁ ବୁଧବାର ରାତିରେ ପୁଲିସ ଗିରଫ କରିଛି। ଉଦଘାଟନର ୯ ମାସରୁ କମ୍ ସମୟ ପରେ ତାଙ୍କ ଦ୍ୱାରା ନିର୍ମିତ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିଥିଲା।
ଅଭିଯୁକ୍ତକୁ ଖୋଜିବା ପାଇଁ ପୁଲିସ ୭ଟି ଟିମ୍ ଗଠନ କରିଥିଲା। ପ୍ରତିମୂର୍ତ୍ତି ପଡ଼ିବା ପରେ ମାଲବନ ପୁଲିସ ଆପ୍ଟେ ଓ ତାଙ୍କ ସହଯୋଗୀ ଚେତନ ପାଟିଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପାଟିଲଙ୍କୁ ଗତ ସପ୍ତାହରେ କୋହ୍ଲାପୁରରୁ ଗିରଫ କରାଯାଇଥିଲା।
ବିଜେପି ନେତା ପ୍ରବୀଣ ଦାରେକର କହିଛନ୍ତି, ଯେଉଁମାନେ ଆମ ସରକାରଙ୍କୁ ସମାଲୋଚନା କରୁଥିଲେ ସେମାନେ ଏବେ ମୁହଁ ବନ୍ଦ କରନ୍ତୁ। ଏହା ସତ ଯେ ଆପ୍ଟେଙ୍କୁ ଗିରଫ କରିବା ପାଇଁ ପୁଲିସ କିଛି ସମୟ ନେଇଥିଲା। ଗିରଫ ହେବାର କୌଣସି ଶ୍ରେୟ ନେଉନାହୁଁ, କିନ୍ତୁ ପୁଲିସ ସେମାନଙ୍କ କାମ କରିଛି ।
ଜଣେ ଅଧିକାରୀ କହିଛନ୍ତି ଯେ ୫ ଜଣିଆ ଏକ ଯୁଗ୍ମ ବୈଷୟିକ କମିଟି ବୁଧବାର ଦିନରେ ଦୁର୍ଗ ପରିଦର୍ଶନ କରି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରତିମୂର୍ତ୍ତି ପାଇଁ ବ୍ୟବହୃତ ସାମଗ୍ରୀ ସହ ଏହା କେଉଁ ପ୍ଲାଟଫର୍ମରେ ରହିଥିଲା ତାହାର ନମୁନା ସହ ଫୋରେନସିକ୍ ପରୀକ୍ଷା ପାଇଁ ପୁଲିସ ପଠାଇଛି।
ସେପଟେ ଆପ୍ଟେ ଗିରଫ ହେବା ପରେ ରାଜ୍ୟରେ ପୁଣି ରାଜନୀତି ସରଗରମ ହୋଇଛି। ରାଜ୍ୟ କଂଗ୍ରେସ ସଭାପତି ନାନା ପଟୋଲେ ଅଭିଯୋଗ କରିଛନ୍ତି। ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ବିରୋଧୀମାନେ ରାଜନୀତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଅଭିଯୋଗ ଉପରେ ପଟୋଲେ କହିଛନ୍ତି ଯେ ଶିବାଜୀ ମହାରାଜଙ୍କ ଅପମାନ ବିରୋଧରେ କ୍ରୋଧ ପ୍ରକାଶ କରିବାକୁ ଏହି ମାମଲାକୁ ରାଜନୀତିକରଣ କୁହାଯାଇପାରିବ ନାହିଁ। ଅନ୍ୟପକ୍ଷରେ ଶିବସେନା ନେତ୍ରୀ ସୁଷମା ଆନ୍ଧାରେ କହିଛନ୍ତି ଯେ ଆପ୍ଟେଙ୍କୁ ଗିରଫ କରିବାର ଶ୍ରେୟ ରାଜ୍ୟ ସରକାର ନେବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ। କାରଣ ଏହା ସରକାରଙ୍କ କର୍ତ୍ତବ୍ୟ।
ଅଧିକ ପଢ଼ନ୍ତୁ: ସ୍ଥାୟୀ ମୋର୍ଚ୍ଚ ଗଠନ ଦାବି କଲେ ଚାଷୀ