ମସ୍କୋ: ୟୁକ୍ରେନର ଉତ୍ତର-ପୂର୍ବ ଖାରକିଭ ଅଞ୍ଚଳରେ ମଙ୍ଗଳବାର ସକାଳେ ରୁଷ ଆଉ ଏକ ପ୍ରବଳ ବୋମାମାଡ଼ କରିଛି। ରୁଷର ଏହି ଆକ୍ରମଣରେ ଜଣେ ୨୨ ବର୍ଷୀୟା ମହିଳା ସମେତ ଚାରି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।
ଖାରକିଭ ଗଭର୍ଣ୍ଣର ଓଲେଗ ସିନେଗୁବୋଭଙ୍କ ଅନୁଯାୟୀ, ରୁଷ ସେନା ଚୁଗୁଇଭ ସହରକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଆବାସିକ ଅଞ୍ଚଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ବହୁମହଲା ବିଶିଷ୍ଟ କୋଠାକୁ ପ୍ରବଳ କ୍ଷତି ହୋଇଥିଲା ଏବଂ ଅତି କମରେ ୧୮ଟି ଯାନବାହନ ଧ୍ୱଂସବିଦ୍ଧ ହୋଇଥିଲା।
ଖାରକିଭ ଅଞ୍ଚଳର ରାଜ୍ୟପାଳ ଓଲେଗ ସିନେଗୁବୋଭ ଟେଲିଗ୍ରାମରେ ଲେଖିଛନ୍ତି, ଶତ୍ରୁ ଚୁଗୁଇଭ ସହର ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣେ ୨୨ ବର୍ଷୀୟା ମହିଳାଙ୍କ ସମେତ ଚାରି ଜଣ ପ୍ରାଣ ହରାଇଛନ୍ତି।। ଖାରକିଭ ମେୟର ଇଗୋର ତେରେଖୋଭ କହିଛନ୍ତି ଯେ ତାଙ୍କ ସହରରେ ୧୦ ଜଣ ଲୋକ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ବିଗତ ଦିନରେ ଆବାସିକ ଅଞ୍ଚଳରେ ରୁଷ ଆକ୍ରମଣ ବୃଦ୍ଧି ପାଇଛି। ଏପ୍ରିଲରେ ପ୍ରକାଶିତ ଜାତିସଂଘର ଏକ ଆକଳନ ଅନୁଯାୟୀ, ଫେବ୍ରୁଆରି ୨୦୨୨ରେ ରୁଷ ଆକ୍ରମଣ ଆରମ୍ଭ କରିବା ପରଠାରୁ ୟୁକ୍ରେନୀୟ ଅଞ୍ଚଳରେ ଅତି କମରେ ୧୫,୮୫୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।
ସଂଯୁକ୍ତ ରାଷ୍ଟ୍ରର ସଂଖ୍ୟା ଅନୁସାରେ, ରୁଷ ନିୟନ୍ତ୍ରଣାଧୀନ ଅଞ୍ଚଳରେ ୨,୮୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି, ଯେତେବେଳେ ୟୁକ୍ରେନ ଏବଂ ରୁଷ ଅଧିକୃତ ଅଞ୍ଚଳରେ ୪୪,୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ପାର୍କିଂ ଟ୍ରକ୍ ସହିତ ମିନିବସ୍ ଧକ୍କା: ଅନେକ ଭାରତୀୟ ଶ୍ରମିକଙ୍କ ସମେତ ୭ ଜଣଙ୍କର ମୃତ୍ୟୁ