ଶ୍ରୀନଗର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତ ମଙ୍ଗଳବାର ଦିନ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି। ପାକିସ୍ତାନୀ ସୈନିକମାନେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖାରେ ଗୁଳି ଚଳାଇଛନ୍ତି। ଭାରତୀୟ ସେନା ଅନୁଯାୟୀ, ଶୁକ୍ରବାର-ଶନିବାର ୨୫-୨୬ ରାତିରେ କାଶ୍ମୀରର ନିୟନ୍ତ୍ରଣ ରେଖା ଆରପାରିରେ ପାକିସ୍ତାନ ସେନାର ବିଭିନ୍ନ ପୋଷ୍ଟ ଦ୍ୱାରା ବିନା ପ୍ରରୋଚନାରେ ଗୁଳିଚାଳନା କରାଯାଇଥିଲା। ଭାରତୀୟ ସୈନ୍ୟମାନେ ଛୋଟ ଅସ୍ତ୍ର ସହିତ ଉପଯୁକ୍ତ ଜବାବ ଦେଇଥିଲେ। କୌଣସି ମୃତାହତର ରିପୋର୍ଟ ନାହିଁ।
ଶୁକ୍ରବାର ପୂର୍ବରୁ, ପାକିସ୍ତାନୀ ସୈନ୍ୟ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାର କିଛି ଅଂଶରେ ଗୁଳି ଚଳାଇଥିଲେ। ଭାରତୀୟ ସେନାର ସାହସୀ ସୈନିକମାନେ ଏହାର ଉପଯୁକ୍ତ ଜବାବ ଦେଇଥିଲେ। ତଥାପି, ଏହି ଏନକାଉଣ୍ଟରରେ ମଧ୍ୟ କୌଣସି କ୍ଷତି ହୋଇଥିବାର ରିପୋର୍ଟ ହୋଇନାହିଁ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦୀମାନେ ଏକପ୍ରକାର ରକ୍ତମୁଖା ହୋଇଛନ୍ତି। ଘାଟିର ବିଭିନ୍ନ ସ୍ଥାନରେ ପୁଣି ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ଶୁକ୍ରବାର ବାନ୍ଦିପୋରାରେ ଆକ୍ରମଣ ଉଦ୍ୟମ କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ। କିନ୍ତୁ ସୁରକ୍ଷା ବାହିନୀର ଯବାନମାନେ କାର୍ଯ୍ୟାନୁଷ୍ଠାନ ନେଇ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସେହିପରି ଉଦ୍ଦମପୁର ଓ କାଠୁଆରେ ମଧ୍ୟ ଆତଙ୍କବାଦୀ ଗତିବିଧି ଜଣାପଡ଼ିଥିଲା।
ଅଧିକ ପଢ଼ନ୍ତୁ: ଆତଙ୍କବାଦୀ ଆକ୍ରମଣର କାହାଣୀ ବଖାଣିଲେ ସ୍ୱର୍ଗତ ଶୁଭମଙ୍କ ବାପା