ଗିନି: ଗିନିର ଦ୍ବିତୀୟ ବୃହତ୍ତମ ସହର ଏନ୍'ଜେରେକୋରରେ ରବିବାର ଏକ ଫୁଟ୍ବଲ୍ ମ୍ୟାଚ୍ରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ଘଟି ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଡାକ୍ତରଖାନା ସୂତ୍ରରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ହସ୍ପିଟାଲରେ ମୃତଦେହଗୁଡ଼ିକ ରହିଛି। ମୃତଦେହ ବ୍ୟତୀତ ଆହତମାନେ ଚିକିତ୍ସା ପାଇଁ ଚଟାଣରେ ପଡ଼ି ରହିଛନ୍ତି। ଜଣେ ଡାକ୍ତର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଗଣମାଧ୍ୟମ ସହ କଥା ବାର୍ତ୍ତା କରିବା ପାଇଁ ତାଙ୍କର ଅଧିକାର ନାହିଁ।
ସେଠାରେ ପ୍ରାୟ ୧୦୦ ମୃତଦେହ ଥିବା ବେଳେ ମୃତଦେହ ସ୍ଥାନୀୟ ଡାକ୍ତରଖାନା ଓ ଶବଗୃହରେ ଭର୍ତ୍ତି ହୋଇଛି ବୋଲି ସେ କହିଛନ୍ତି। ଅନ୍ୟ ଜଣେ ଡାକ୍ତର କହିଛନ୍ତି ଯେ ସେଠାରେ ଡଜନାଧିକ ଲୋକ ପ୍ରାଣ ହରାଇଛନ୍ତି। ସୋସିଆଲ ମିଡିଆରେ ଏନେଇ ଭିଡିଓ ଭାଇରାଲ ହୋଇଛି। ଫୁଟବଲ୍ ମ୍ୟାଚ୍ ସମୟରେ ପ୍ରଶଂସକମାନେ ଉତ୍ତେଜିତ ଥିବା ଦେଖାଯାଉଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ଏନ୍'ଜେରେକୋର ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ରେଫରିଙ୍କ ବିବାଦୀୟ ନିଷ୍ପତ୍ତିରୁ ଏହା ଆରମ୍ଭ ହୋଇଥିଲା। ତା'ପରେ ପ୍ରଶଂସକମାନେ ପିଚ୍ ଉପରେ ଆକ୍ରମଣ କରିଥିଲେ,'' ଜଣେ ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଏବଂ ସୁରକ୍ଷା କାରଣରୁ ତାଙ୍କ ନାମ ଗୋପନ ରଖିବାକୁ ନିବେଦନ କରିଛନ୍ତି।
ସ୍ଥାନୀୟ ଗଣମାଧ୍ୟମ କହିଛି ଯେ ଏହି ମ୍ୟାଚ୍ ଗିନିର ଜୁନ୍ତା ନେତା ମାମାଦି ଡୁମ୍ବୁୟାଙ୍କ ସମ୍ମାନରେ ଆୟୋଜିତ ଏକ ଟୁର୍ଣ୍ଣାମେଣ୍ଟର ଏକ ଅଂଶ ଥିଲା, ଯିଏ କି ୨୦୨୧ ରେ ଏକ ବିଦ୍ରୋହରେ କ୍ଷମତା ଦଖଲ କରିଥିଲେ ଏବଂ ନିଜକୁ ରାଷ୍ଟ୍ରପତି ଭାବରେ ଅବସ୍ଥାପିତ କରିଛନ୍ତି।
ଅଧିକ ପଢ଼ନ୍ତୁ: ଭାରତୀୟ ଟିମ୍ରେ ଖେଳିପାରନ୍ତି ଏହି ୧୧ ଜଣିଆ ଟିମ୍