ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଗତ ୫ ତାରିଖ ଦିନ ବହୁଜନ ସମାଜ ପାର୍ଟି (ବିଏସ୍ପି) ସଭାପତି ଆର୍ମଷ୍ଟ୍ରଙ୍ଗଙ୍କୁ ଛୁରି ଭୁସି ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଥିରୁଭେଙ୍ଗଦମକୁ ପୁଲିସ ଏନ୍କାଉଣ୍ଟର କରିଛି। ଚେନ୍ନାଇ ନିକଟରେ ପୁଲିସ ଏନ୍କାଉଣ୍ଟରରେ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଥିରୁଭେଙ୍ଗଦମ ବିଏସ୍ପି ସଭାପତି ଆର୍ମଷ୍ଟଙ୍ଗଙ୍କ ହତ୍ୟା ଘଟଣାର ସାମିଲ ଥିଲା
ବିଏସ୍ପି ନେତାଙ୍କୁ ହତ୍ୟା ଘଟଣା ଚେନ୍ନାଇ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପୋନ୍ନଇ ବାଲା, ରାମୁ, ଏନ୍କାଉଣ୍ଟରରେ ନିହତ ଥିରୁଭେଙ୍ଗଦମ, ସେଲୱାରାଜ, ମଣିଭନ୍ନନ, ସନ୍ତୋଷ ଓ ଅରୁଲ।
ଚେନ୍ନାଇ ପୁଲିସ କହିଛି, ଆମେ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଛାନ୍ଭିନ୍ ଆରମ୍ଭ କରିଥିଲୁ। ଏଥି ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଘଟଣା ସେମ୍ବିୟମ ପୁଲିସ ଥାନା ଅଧିନରେ ଘଟିଥିଲା। ଆକ୍ରମଣର ଶିକାର ହେଲା ପରେ ଆର୍ମଷ୍ଟ୍ରଙ୍ଗଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ କହିଛି ଯେ, ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅତର୍କିତ ଚଢ଼ାଉ କରି ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଆର୍ମଷ୍ଟ୍ରଙ୍ଗ ପେଶାରେ ଜଣେ ଆଇନଜୀବୀ ଥିଲେ। ରାଜ୍ୟରେ ଦଳିତମାନଙ୍କ ପାଇଁ ସ୍ବର ଉଠାଉଥିଲେ। ଏହା ପୂର୍ବରୁ ସେ ଗ୍ରେଟର ଚେନ୍ନାଇ କର୍ପୋରେଶନର ପାର୍ଷଦ ଥିଲେ।