କାଲିଫର୍ନିଆ: ଆମେରିକାର କାଲିଫର୍ନିଆରେ ତୁଷାରପାତ ଏବଂ ହିମସ୍ଖଳନ ତାଣ୍ଡବ ରଚିଛି। ଟାହୋ ଅଞ୍ଚଳର କାସଲ ପିକରେ ଏକ ବିଶାଳ ହିମସ୍ଖଳନ ପରେ ନିଖୋଜ ନଅ ଜଣ ସ୍କିଅରଙ୍କ ମଧ୍ୟରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଜଣେ ବ୍ୟକ୍ତି ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।
ନେଭାଡା କାଉଣ୍ଟି ସେରିଫ୍ ଶାନନ୍ ମୁନ୍ ଏହି ଦୁଃଖଦ ଘଟଣା ନିଶ୍ଚିତ କରି କହିଛନ୍ତି, ଉଦ୍ଧାରକାରୀ ଦଳଗୁଡ଼ିକ କଠିନ ପରିଶ୍ରମ କରୁଛନ୍ତି। କିନ୍ତୁ ଆଠ ଜଣ ସଦସ୍ୟଙ୍କ ମୃତ୍ୟୁ ଏକ ବଡ଼ ଦୁଃଖଦ ଘଟଣା। ଆମେ ଏବେ ବି ଜଣେ ନିଖୋଜ ସଦସ୍ୟଙ୍କୁ ଖୋଜୁଛୁ ଏବଂ ତାଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।
ମଙ୍ଗଳବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା, ଯେତେବେଳେ କାସଲ ପିକରେ ସ୍କିଅରଙ୍କ ଏକ ଦଳ ଥିଲା। ହଠାତ୍ ହିମସ୍ଖଳନରେ ସମଗ୍ର ଗୋଷ୍ଠୀ ଭାସି ଯାଇଥିଲା। ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ସମୟରେ ଛଅ ଜଣ ସ୍କିଅରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଣଙ୍କୁ ରକ୍ଷା କରାଯାଇପାରିଲା ନାହିଁ।
ଅଞ୍ଚଳରେ ପ୍ରବଳ ତୁଷାରପାତ ଏବଂ ପ୍ରତିକୂଳ ପାଗ ପରିସ୍ଥିତି ଉଦ୍ଧାର କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଉଚ୍ଚ ପାର୍ବତ୍ୟ ଅଞ୍ଚଳ ଏବଂ ହିମସ୍ଖଳନ ପ୍ରବଣ ଅଞ୍ଚଳରୁ ଦୂରେଇ ରହିବାକୁ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ସତର୍କ କରାଇଛନ୍ତି।
ଅଧିକ ପଢ଼ନ୍ତୁ: ତିନି ଭାଇଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ