ସାରଣ, ଅଗଷ୍ଟ ୦୫ (ଖବର ଓଡ଼ିଶା): ପୂର୍ଣ୍ଣ ମଦ ନିଷିଦ୍ଧ ବିହାରରେ ପୁଣି ଥରେ ବିଷାକ୍ତ ମଦ ଘଟଣା ସାମ୍ନାକୁ ଆସିଛି । ସାରଣରେ ବିଷାକ୍ତ ମଦ ପିଇ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମେକର ଥାନା ଅନ୍ତର୍ଗତ ଫୁଲୱରିଆ ପଂଚାୟତ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ନୋତିୟା ଟୋଲି ଓ ଭେଲଦୀ ଥାନା ଅଞ୍ଚଳର ସୋନହୋ ଭାଥାରେ ସଂଦିଗ୍ଧ ବିଷାକ୍ତ ମଦ ପିଇବା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ କିଛି ଲୋକ ଦୃଷ୍ଟିଶକ୍ତି ମଧ୍ୟ ହରାଇ ଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୨ ତାରିଖରେ ମଧ୍ୟ ପାନାପୁରରେ ସନ୍ଦିଗ୍ଧ ବିଷାକ୍ତ ମଦ ପିଇବା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ତେଣୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ପାଲଟିଛି । ବିଷାକ୍ତ ମଦ ଯୋଗୁଁ ପ୍ରାୟ ୧୦ ଜଣ ଲୋକ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ହୋଇଛି ।
ଗତ ବୁଧବାର ଦିନ କୌଣସ ଜଣେ ବ୍ୟକ୍ତିଙ୍କ ଘରେ ପୂଜା ଥିଲା । ସେଠାରେ କିଛି ଲୋକ ମଦ ପିଇଥିଲେ । ଏହା ପରେ ଗୁରୁବାର ଦିନ ସକାଳୁ ମଧ୍ୟ କିଛି ଲୋକ ବିଷାକ୍ତ ମଦ ସେବନ କରିଥିଲେ । ପ୍ରାୟ ୧୮ରୁ ୨୦ ଜଣ ପୀଡିତଙ୍କୁ ପାଟଣାସ୍ଥିତ ପିଏମ୍ସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଏଥିରୁ ଗୁରୁତର ୬ ଜଣଙ୍କୁ ଛପରା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବିଷାକ୍ତ ମଦ ଘଟଣାରେ ପ୍ରଶାସନ ଓ ପୁଲିସର ଚିନ୍ତା ବଢ଼ିଛି । ସାରଣ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକ ସଦର ହସ୍ପିଟାଲ ପହଞ୍ଚି ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି ।