ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣରେ ବିହାରର ରାଜଗିର ନିକଟରେ ଐତିହାସିକ ନାଳନ୍ଦା ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ୍କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସୁବର୍ଣ୍ଣ ଯୁଗରେ ନାଳନ୍ଦା ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ ନିର୍ମିତ ହୋଇଛି। ଏଥି ସହିତ ନାଳନ୍ଦାର ପୁନରୁଦ୍ଧାର କରାଯାଇଛି। ଏହି ନୂତନ କ୍ୟାମ୍ପସ ବିଶ୍ୱକୁ ଭାରତର ସାମର୍ଥ୍ୟ ବିଷୟରେ ନୂଆ ପରିଚୟ ଦେବ।
ମୋଦୀ କହିଛନ୍ତି, ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାର ୧୦ ଦିନ ଭିତରେ ଏହି ବିଶ୍ବବିଦ୍ୟାଳୟର ନୂତନ ପରିସର ଉଦ୍ଘାଟନ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ଅନୁଭବ କରୁଛି। ନାଳନ୍ଦା କେବଳ ଏକ ନାମ ନୁହେଁ। ବରଂ ଏହା ଏକ ପରିଚୟ ଓ ସମ୍ମାନ। ନାଳନ୍ଦା ହେଉଛି ଏକ ମୂଲ୍ୟ ଓ ମନ୍ତ୍ର। ପୁସ୍ତକକୁ ଅଗ୍ନି ପୋଡ଼ିପାରିବ। କିନ୍ତୁ ଜ୍ଞାନକୁ ନଷ୍ଟ କରିପାରିବ ନାହିଁ। ଏହି ନୂଆ କ୍ୟାମ୍ପସରେ ପିଲାମାନେ ପାଠ ପଢ଼ି ବିଶ୍ବର ବିକାଶରେ ଭାଗିଦାରୀ ହେବେ ବୋଲି ମୋର ଆଶା।
ନାଳନ୍ଦା ବିଶ୍ବବିଦ୍ୟାଳୟର ନୂଆ ପରିସର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟର ଐତିହ୍ୟ ସ୍ଥଳ ପରିଦର୍ଶନ କରିଥିଲେ। ନୂଆ ପରିସର ଉଦ୍ଘାଟନ ଅବସରରେ ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଂଝୀ, ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା, ରାଜ୍ୟ ସରକାରଙ୍କ ସମବାୟ ମନ୍ତ୍ରୀ ଡ. ପ୍ରେମ କୁମାରଙ୍କ ସମେତ ୧୭ଟି ଦେଶର ରାଷ୍ଟ୍ରଦୂତ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୨୦୧୬ରେ ନାଳନ୍ଦା ବିଶ୍ବବିଦ୍ୟାଳୟର ସ୍ମାରକୀକୁ ଐତିହ୍ୟସ୍ଥଳୀ ଭାବେ ଘୋଷଣା କରାଯାଇଥିଲା। ଏହା ପରେ ବିଶ୍ବବିଦ୍ୟାଳୟର ନୂଆ ପରିସର ନିର୍ମାଣ ପାଇଁ ଚିନ୍ତା କରାଯାଇଥିଲା। ପୁରୁଣା ପରିସର ନିକଟରେ ନୂଆ ପରିସର ନିର୍ମାଣ କରାଯାଇଛି।
ନାଳନ୍ଦା ବିଶ୍ବବିଦ୍ୟାଳୟ ଜରିଆରେ ବୌଦ୍ଧ ଧର୍ମକୁ ଗରୁତ୍ବ ଦେଉଥିବା ଦେଶ ଯଥା ଶ୍ରୀଲଙ୍କା, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ଭିଏତ୍ନାମ, ଲାଓସ, କମ୍ବୋଡିଆ ପ୍ରତି ଭାରତର ସଦ୍ଭାବ ଜାରି ରିଖିବାକୁ ଉଦ୍ୟମ କରାଯିବ, ଯାହାକି ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟରେ ଥିଲା।