ଭୁବନେଶ୍ବର: ତାମିଲନାଡୁର ତିରୁଭଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି ସି-ଫୁଡ ପ୍ରକ୍ରିୟାକରଣ କାରଖାନାରେ ଚଳିତ ମାସ ୨୧ ତାରିଖ ଦିନ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ଓଡ଼ିଶାବାସୀଙ୍କ ପାଇଁ ଦୁ!ଖଦ ଖବର ଆଣିଛି। ଏହି ଅଭାବନୀୟ ଘଟଣାର ଶିକାର ହୋଇଥିବା ଆଉ ଜଣେ ଓଡ଼ିଆ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକା ହେଲେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଆଲୋରି ପଞ୍ଚାୟତ ଅନ୍ଧାରୀସାହି ବାସିନ୍ଦା ବୁଧୁବାରୀ ନାୟକ (୨୫)। ଏଥି ସହିତ ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି, ଯେଉଁଥିରେ ୧୩ ଜଣ ଅଛନ୍ତି ଓଡ଼ିଆ ମହିଳା।
ସୂଚନା ଅନୁସାରେ ଏକ ଆଦିବାସୀ ସଂପ୍ରଦାୟର ବିଧବା ମହିଳା ବୁଧୁବାରୀ ନାୟକ ଅନ୍ୟମାନଙ୍କ ସହିତ ତାମିଲନାଡୁକୁ ରୋଜଗାର ପାଇଁ ଯାଇଥିଲେ। ସି-ଫୁଡ ପ୍ରଶସ୍ତୀକରଣ କାରଖାନାରେ କାମ କରୁଥିଲେ। ଗତ ୨୧ ତାରିଖ ଦିନ ଗ୍ୟାସ୍ ଲିକ ଘଟଣାର ଶିକାର ହୋଇଥିଲେ। ଅନ୍ୟମାନଙ୍କ ସହିତ ବୁଧୁବାରୀଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଗତକାଲି ତାଙ୍କର ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ପାଲଲହଡ଼ା ନିଆଯାଇଥିଲା। ସେଠାରେ ସହକାରୀ ଶ୍ରମ ଅଧିକାରୀ ମାଇକେଲ ଜୁଯୋ ଏବଂ ଖମାର ପୁଲିସ ରାତି ୧ଟା ବେଳେ ପରିବାରକୁ ମୃତଦେହ ହସ୍ତାନ୍ତର କରିଥିଲେ। ବୁଧୁବାରୀଙ୍କ ମୃତ ଶରୀର ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
ସୂଚନାଯୋଗ୍ୟ, ତାମିଲନାଡୁରେ ଓଡ଼ିଶାର ଶ୍ରମିକମାନେ ଅଘଟଣର ଶିକାର ହେବା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ମୃତହେଦ ଆଣିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ: ମଧ୍ୟରାତ୍ରିରେ ହୁତୁହୁତ ହୋଇ ଜଳିଗଲା ଯାତ୍ରୀବାହୀ ବସ୍, ବର୍ତ୍ତିଗଲେ ୬୦ ଯାତ୍ରୀ