ଇସଲାମାବାଦ: ପାକିସ୍ତାନର ଅର୍ଥନୈତିକ ରାଜଧାନୀ କରାଚି ଶନିବାର ରାତିରେ ଏକ ଭୟଙ୍କର ଆକ୍ରମଣରେ ଥରି ଉଠିଥିଲା। ଏଠାରେ ଥିବା ପାକିସ୍ତାନ ରେଞ୍ଜର୍ସର ପ୍ରାଦେଶିକ ମୁଖ୍ୟାଳୟ ଉପରେ ଉଗ୍ରବାଦୀମାନେ ଏକ ବଡ଼ ଆକ୍ରମଣ କରିଥିଲେ। ସେମାନେ ପ୍ରବେଶ ପାଇଁ ରେଞ୍ଜର୍ସ କମ୍ପାଉଣ୍ଡରେ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ ଧକ୍କା ଦେଇଥିଲେ। ଏହା ପରେ ଉଗ୍ରବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ଏହି ଆକ୍ରମଣରେ ଅତି କମରେ ଚାରି ଜଣ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।
ପାକିସ୍ତାନୀ ଅଧିକାରୀମାନେ ପ୍ରତିଶୋଧମୂଳକ ଗୁଳିରେ ଛଅ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ସୂଚନା ଦେଇଛନ୍ତି। ଜଣେ ଆତଙ୍କବାଦୀ ଜୀବନ୍ତ ଧରାପଡ଼ିଛି। ସେମାନେ କହିଛନ୍ତି ଯେ ସେମାନେ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛନ୍ତି। ଅକ୍ଟୋବର ୨୨୦୪ ପରେ କରାଚୀରେ ଏହା ପ୍ରଥମ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା।
ତେହେରିକ-ଏ-ତାଲିବାନ୍ ପାକିସ୍ତାନ ସହିତ ଜଡିତ ଏକ ଆତଙ୍କବାଦୀ ଗୋଷ୍ଠୀ ଜମାତ-ଉଲ-ଆହରର ଏହି ଆକ୍ରମଣର ଦାୟିତ୍ୱ ଗ୍ରହଣ କରିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାତି ପ୍ରାୟ ୮ଟା ୩୦ ସମୟରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ କରାଚୀର ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ରେଞ୍ଜର୍ସ କମ୍ପାଉଣ୍ଡରେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଧକ୍କା ଦେଇ ବିସ୍ଫୋରଣ କରିଦେଇଥିଲା। ସୁରକ୍ଷା ବାହିନୀ ୯୦ ମିନିଟ୍ ଧରି ଗୁଳି ବିନିମୟରେ ଲିପ୍ତ ଥିଲେ।
ପରେ ପାକିସ୍ତାନର ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ଏବଂ ଆତଙ୍କବାଦୀ ବିରୋଧୀ ବାହିନୀର କମାଣ୍ଡୋମାନେ ଏହି ଅଭିଯାନରେ ରେଞ୍ଜର୍ସଙ୍କ ସହିତ ଯୋଗ ଦେଇଥିଲେ। ପ୍ରବଳ ଗୁଳି ବିନିମୟ ମଧ୍ୟରେ କର୍ତ୍ତୃପକ୍ଷମାନେ କମ୍ପାଉଣ୍ଡ ଏବଂ ଆଖପାଖ ରାସ୍ତାଗୁଡ଼ିକୁ ସିଲ୍ କରିଦେଲେ, ବାସିନ୍ଦାମାନଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କଲେ। ଅପରେସନ ସମୟରେ ନିକଟବର୍ତ୍ତୀ କିଛି ଅଞ୍ଚଳରେ ବିଦ୍ୟୁତ୍ ମଧ୍ୟ କାଟି ଦିଆଯାଇଥିଲା।
ଏହା ଗତ ଦୁଇ ବର୍ଷ ମଧ୍ୟରେ କରାଚୀରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ। ପୂର୍ବରୁ ଅକ୍ଟୋବର ୨୦୨୪ରେ ବେଲୁଚିସ୍ତାନ ଲିବରେସନ ଆର୍ମି କରାଚୀ ବିମାନବନ୍ଦର ନିକଟରେ ଏକ ଆତ୍ମଘାତୀ ଆକ୍ରମଣ କରିଥିଲା, ଯେଉଁଥିରେ ଦୁଇଜଣ ଚୀନ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। କରାଚୀରେ ଶେଷ ବଡ଼ ଟିଟିପି ଆକ୍ରମଣ ଫେବ୍ରୁଆରୀ ୨୦୨୩ରେ ହୋଇଥିଲା, ଯେତେବେଳେ ଆତଙ୍କବାଦୀମାନେ କରାଚୀ ପୋଲିସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ।
ଅଧିକ ପଢ଼ନ୍ତୁ: କରାଚୀରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ହମଲା