ମଣ୍ଡି: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ସୋମବାର ରାତିରେ ଏବଂ ମଙ୍ଗଳବାର ସକାଳେ ବାଦଲ ଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ଘଟିଛି। କାର୍ସୋଗ, ସେରାଜ ଏବଂ ଧରମପୁର ଉପଖଣ୍ଡରେ ବର୍ଷାର ତାଣ୍ଡବ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି। କାର୍ସୋଗରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଭଗ୍ନାବଶେଷ ତଳେ ଚାପି ହୋଇ ଅନେକ ଘର, ଗାଈ ଗୁହାଳ ଏବଂ ଯାନବାହନ ନଷ୍ଟ ହୋଇଯାଇଛି। କେବଳ ଏତିକି ନୁହେଁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ରଖିଛନ୍ତି। ସେହିପରି ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ କିତାରପୁର-ମନାଲି ଚାରି ଲେନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି, ଯାହା ଯାତାୟାତକୁ ପ୍ରଭାବିତ କରିଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ ଶହଶହ ଲୋକ ସୁଡ଼ଙ୍ଗ ଏବଂ ରାସ୍ତାରେ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ପାଣି ଯୋଗାଇ ଦିଆଯାଇଛି। ସତର୍କତା ସ୍ୱରୂପ, ପ୍ରଶାସନ ମାଣ୍ଡି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଗୋଟିଏ ଦିନ ଛୁଟି ଘୋଷଣା କରିଛି।
ପାଣିପାଗ ବିଭାଗ ଆଗାମୀ ୪୮ଘଣ୍ଟା ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି। ମଧ୍ୟରାତ୍ରିରେ ପ୍ରବଳ ବର୍ଷା ମଧ୍ୟରେ ରଘୁନାଥ କା ପଧାରରେ କୁଷ୍ଠ ରୋଗୀଙ୍କ ଆଶ୍ରମ ଜଳାର୍ଣ୍ଣବ ପାଲଟିଥିଲା। ସେଠାରେ ରହୁଥିବା ଲୋକଙ୍କ ଜୀବନକୁ ବିପଦରେ ପକାଇଲା। ପୋଲିସ ଏବଂ ଏସଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ଚଳାଇ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଏଠାରେ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ବ୍ୟାସ ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଲାର୍ଜି ଏବଂ ପାଣ୍ଡୋହ ଡ୍ୟାମର ଗେଟ୍ ଖୋଲିବାକୁ ପଡିଲା। ବିପଦକୁ ଦୃଷ୍ଟିରେ ରଖି, ଲାର୍ଜି ଏବଂ ଡାହାର ଜଳବିଦ୍ୟୁତ୍ ପ୍ରକଳ୍ପର ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରାଯାଇଛି। ଏହା ବ୍ୟତୀତ କୋଲ୍ ଡ୍ୟାମର 800 ମେଗାୱାଟ୍ କ୍ଷମତା ବିଶିଷ୍ଟ ଟର୍ବାଇନ୍ରୁ ଅତିରିକ୍ତ ପାଣି ଛଡ଼ାଯାଇଛି ଯାହା ଦ୍ୱାରା ଡ୍ୟାମ ସନ୍ତୁଳିତ ରହିବ।
ଅଧିକ ପଢ଼ନ୍ତୁ: ୫ ବର୍ଷ ପରେ ଏତିକି ଟଙ୍କା ଭଡ଼ା ବୃଦ୍ଧି