ଅହମଦାବାଦ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ ନିଜର ଏକ ବନ୍ଧୁଙ୍କୁ ଇଦ୍ ଶୁଭେଚ୍ଛା ଜଣାଉଥିବା ଦେଖାଯାଉଛି। ଭିଡିଓକୁ ନେଇ ପୁଲିସ କହିଛି, ଏହା ସାବରମତୀ ଜେଲର ନୁହେଁ। ଅନ୍ୟପଟରେ ଯେଉଁଭଳି ଭାବେ ଏହି ଭିଡିଓ ଭାଇରାଲ ହୋଇଛି, ଏହା ଦ୍ବାରା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲରେନ୍ସ ବିଶ୍ନୋୟୀ ସାବରମତୀ ଜେଲରେ କଡ଼ା ସୁରକ୍ଷା ଭିତରେ ଅଛି। ସେଠାକୁ ମୋବାଇଲ କେମିତି ପହଞ୍ଚିଲା ବୋଲି ପ୍ରଶ୍ନ ଛିଡ଼ା ହୋଇଛି।
ଶିରୋମଣି ଆକାଳୀ ଦଳର ନେତା ବିକ୍ରମ ସିଂହ ମଜୀଠିଆ ଏହି ଭିଡିଓକୁ ‘ଏକ୍ସ’ରେ ପୋଷ୍ଟ କରିବା ସହ ପ୍ରଶ୍ନ ଉଠାଇଥିଲେ। ସେ ଲେଖିଥିଲେ ଲରେନ୍ସ ପ୍ରଥମେ ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲା ଏବଂ ଏବେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟୀକୁ ଇଦ୍ ଶୁଭେଚ୍ଛା ଜଣାଇଛି। ଗୁଜୁରାଟର ଏକ ଜେଲରୁ ଏହି ଭିଡିଓ କଲ କରାଯାଇଥିବା ନେଇ ମଜୀଠିଆ ଅଭିଯୋଗ ଆଣିଛନ୍ତି।
ଏହି ପ୍ରସଙ୍ଗରେ ସାବରମତୀ ଜେଲର ଡିଏସ୍ପି କହିଛନ୍ତି, ଏହି ଭିଡିଓ ସାବରମତୀ ଜେଲର ନୁହେଁ। ଏହା ଏଆଇ ଦ୍ବାରା ପ୍ରସ୍ତୁତ ହୋଇଥାଇ ପାରେ। ବର୍ଷକୁ ଏକାଧିକ ଥର ଇଦ୍ ପର୍ବ ପାଳନ ହେଉଛି। ଏହା କେଉଁ ଇଦ୍ର ଭିଡିଓ କହିବା ଅଡୁଆ ଲାଗୁଛି। ଲରେନ୍ସକୁ ୨୦୦ କୋଟିର ଟ୍ରଗ୍ସ ମାମଲାରେ ଗୁଜରାଟର ଏଟିଏସ୍ ରିମାଣ୍ଡରେ ଆଣିଥିଲା ଏବଂ ସେବେ ଠାରୁ ତାକୁ ସାବରମତୀ ଜେଲରେ କଡ଼ା ସୁରକ୍ଷା ଭିତରେ ଭର୍ତ୍ତି କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପୂରା ମାମଲାର ତଦନ୍ତ କରୁଛି।