କୋଲକାତା: ଆରଜି କର ମାମଲାରେ ତ୍ୱରିତ ନ୍ୟାୟ ସମେତ ବିଭିନ୍ନ ଦାବିନେଇ କନିଷ୍ଠ ଡାକ୍ତରମାନେ ପୁଣି ଥରେ ପୂର୍ଣ୍ଣାଙ୍ଗ ଧର୍ମଘଟ କରିଛନ୍ତି। ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ ଡାକ୍ତରମାନେ ମଙ୍ଗଳବାର ସକାଳୁ ଧର୍ମଘଟ ଆରମ୍ଭ କରିଛନ୍ତି।
କୋଲକାତା: ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛନ୍ତି। ଦୀର୍ଘ ୪୨ ଦିନର ଆନ୍ଦୋଳନ ପରେ ଗତ ସେପ୍ଟେମ୍ବର ୨୧ ତାରିଖରେ କନିଷ୍ଠ ଡାକ୍ତରମାନେ ସରକାରୀ ହସ୍ପିଟାଲରେ ନିଜ ଡ୍ୟୁଟିକୁ ଫେରିଥିଲେ। ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଥିଲେ।
ଆନ୍ଦୋଳନରତ ଅନ୍ୟତମ କନିଷ୍ଠ ଡାକ୍ତର ଅନିକେତ ମହତୋ କହିଛନ୍ତି, ଆମର ସୁରକ୍ଷା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ କୌଣସି ସକାରାତ୍ମକ ଆଭିମୁଖ୍ୟ ଆମେ ଦେଖୁନାହୁଁ। ଆଜି ଆନ୍ଦୋଳନର ୫୨ତମ ଦିନ ଏବଂ ଆମ ଉପରେ ଏବେ ବି ଆକ୍ରମଣ ଚାଲିଛି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକରେ ଦିଆଯାଇଥିବା ଅନ୍ୟ ପ୍ରତିଶ୍ରୁତି ପୂରଣ କରିବାକୁ କୌଣସି ପ୍ରୟାସ କରାଯାଉନାହିଁ ବୋଲି ଡାକ୍ତର କହିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଆଜିଠାରୁ କାମ ସମ୍ପୂର୍ଣ୍ଣ ବନ୍ଦ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ରାଜ୍ୟ ସରକାର ଆମ ଦାବି ଉପରେ ସ୍ପଷ୍ଟ ପଦକ୍ଷେପ ନନେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଧର୍ମଘଟ ଜାରି ରହିବ ବୋଲି ଡାକ୍ତରମାନେ କହିଛନ୍ତି।
ଅଧିକ ପଢ଼ନ୍ତୁ: ୩୯ ହଜାର ସରକାରୀ କର୍ମଚାରୀଙ୍କ ମିଳିବନି ଦରମା