ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜ୍ର ଆୟୋଜନରେ ଜାରି ଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପୁରୁଷ ଟି-୨୦ ବିଶ୍ବକପ୍ରେ ସୁପର-୮ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଏହି ରାଉଣ୍ଡରେ ନିଜର ପ୍ରଥମ ମୁକାବିଲା ଆଜି ଖେଳିବ। ଏହି ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷ ୱେଷ୍ଟଇଣ୍ଡିଜ୍ର ବାରବାଡୋସସ୍ଥିତ କିଙ୍ଗଷ୍ଟନ୍ ଓଭାଲରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଅତୀତର ରେକର୍ଡ ଯଦି ଦେଖିବା, ଏହି ପଡ଼ିଆ ଭାରତୀୟ ଖେଳାଳିଙ୍କ ପାଇଁ ଭଲ ଫଳ ଦେଇନାହିଁ। ଭାରତ ଏଠାରେ ଟି-୨୦ର ୨ଟି ମ୍ୟାଚ ଖେଳିଛି ଓ ଏହା ହାରିଛି।
ଭାରତୀୟ ଅଧିନାୟକ ସୁପର-୮ର ପ୍ରଥମ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ସେ ନିଜର ପ୍ଲୋଇଙ୍ଗ-୧୧ରେ ବଡ଼ ପରିବର୍ତ୍ତନ କରିପାରନ୍ତି। ଏହି ମ୍ୟାଚରେ ଷ୍ଟାର ସ୍ପିନର କୁଲଦୀପ ଯାଦଙ୍କୁ ଆଜି ସୁଯୋଗ ଦେଇପାରନ୍ତି। ତେଣୁ ଦ୍ରୁତବୋଲର ମହମ୍ମଦ ସିରାଜଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଏହାର ଏକ କାରଣ ମଧ୍ୟ ରହିଛି। ବାରବାଡୋସରେ ସ୍ପିନରଙ୍କ ପ୍ରଦର୍ଶନ ଭଲ ରହିଥାଏ। ଏଠାରେ ଚଳିତ ବିଶ୍ବକପ୍ର ଶେଷ ମୁକାବିଲା ଗତ ୮ ତାରିଖ ଦିନ ହୋଇଥିଲା। ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୩୬ ରନ୍ରେ ପରାସ୍ତ କରିଥିଲା। କଂଗାରୁ ଦଳର ଖେଳାଳି ଆଦାମ ଜାମ୍ପା ୨ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦ ମ୍ୟାଚ ପୁରସ୍କାର ପାଇଥିଲେ।
ଭାରତୀୟ ଦ୍ରୁତବୋଲର ମହମ୍ମଦ ସିରାଜ ବିଶ୍ବକପର ଚଳିତ ସିରିଜରେ ଭଲ ଫର୍ମରେ ନାହାନ୍ତି। ସେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି କେବଳ ଗୋଟିଏ ୱିକେଟ୍ ନେଇଛନ୍ତି। ତେଣୁ କୁଦୀପଙ୍କୁ ସୁଯୋଗ ମିଳିପାରେ। କୁଲଦୀପଙ୍କ ବ୍ୟତୀତ ରବୀନ୍ଦ୍ର ଜାଦେଜା ଓ ଅକ୍ଷର ପଟେଲଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍କିପର), ସୂର୍ଯ୍ୟକୁମାର ଯାଦବ, ଶିଭମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା ଓ ଅର୍ଶଦୀପ ସିଂହଙ୍କ ମଧ୍ୟ ଆଜି ଆଫଗାନିସ୍ତାନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ପାରନ୍ତି।