ଖବର ଓଡ଼ିଶା: ଦେଶରେ ବଡ଼ ବଡ଼ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି । ଦେଶର ବିଶ୍ୱବିଦ୍ୟାଳୟ, କଲେଜ, ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ, ଆଇନ ଏବଂ ଅନ୍ୟାନ୍ୟ କଲେଜଗୁଡ଼ିକର ମାନ୍ୟତା ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ କରିଛନ୍ତି । ଏନଆଇଆରଏଫ୍ ର ଅଫିସିଆଲ୍ ୱେବସାଇଟ୍ nirfindia.org ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ ପାଇଛି । ଓଭରଅଲ୍ ରାଙ୍କିଂ ଆଧାରରେ ମାଡ୍ରାସର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପୁଣି ଥରେ ବାଜିମାତ କରିଛି । କ୍ରମାଗତ ଷଷ୍ଠ ଥର ପାଇଁ ମାଡ୍ରାସ ଆଇଆଇଟି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅପରାହ୍ନର ୩ଟାରେ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ କରିଛନ୍ତି । ତିନୋଟି ନୂଆ କାଟାଗୋରୀ ସହ ଏଥର ୧୬ଟି କାଟାଗୋରୀରେ ରାଙ୍କିଂ ପ୍ରକାଶ ପାଇଛି । ମନ୍ତ୍ରଣାଳୟ ଦ୍ୱାରା ନିର୍ମିତ ବିଭିନ୍ନ ପାରାମିଟର ଆଧାରରେ ଏହି ମାନ୍ୟତା କଲେଜଗୁଡ଼ିକୁ ଦିଆଯାଇଛି । ଏହି ମାନକଗୁଡ଼ିକରେ ଶିକ୍ଷାଦାନ, ଶିକ୍ଷାର ଉତ୍ସ, ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ, ସ୍ନାତକୋତ୍ତର ଫଳାଫଳ ଏବଂ ପ୍ରସାରଣ ଅନ୍ତର୍ଭୁକ୍ତ ରହିଛି । ସମ୍ପର୍ଣ୍ଣ ବର୍ଗରେ ରାଙ୍କିଂ ଆଧାରରେ ମାଡ୍ରାସର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପୁଣି ଥରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି । କ୍ରମାଗତ ଷଷ୍ଠ ଥର ପାଇଁ ଆଇଆଇଟି ମାଡ୍ରାସ ଏହି ମାନ୍ୟତା ହାସଲ କରିଛି ।
ସେହିପରି ବେଙ୍ଗାଲୁରୁର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି । ଦିଲ୍ଲୀ ଏମ୍ସ ମେଡ଼ିକାଲ କଲେଜ ଭିତରେ ଶୀର୍ଷରେ ରହିଛି । ମ୍ୟାନେଜମେଣ୍ଟରେ ଅହମ୍ମଦାବାଦସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଇଆଇଏମ୍ ଶୀର୍ଷରେ ରହିଛି ।
ଓଭରଅଲ୍ ରାଙ୍କିଂରେ ଅଧିକାଂଶ ଆଇଆଇଟି କଲେଜ ଗୁଡ଼ିକ ରହିଛନ୍ତି । ୧ମରେ ଆଇଆଇଟି (ମାଡ୍ରାସ), ୨ୟରେ ଆଇଆଇଏସସି (ବେଙ୍ଗାଲୁରୁ), ୩ୟରେ ଆଇଆଇଟି (ବମ୍ବେ), ୪ର୍ଥରେ ଆଇଆଇଟି (ଦିଲ୍ଲୀ), ୫ମରେ ଆଇଆଇଟି (କାନପୁର), ୬ଷ୍ଠରେ ଆଇଆଇଟି (ଖଡ଼ଗପୁର), ୭ମରେ ଏମ୍ସ (ନୂଆଦିଲ୍ଲୀ), ୮ମରେ ଆଇଆଇଟି (ରୁର୍କି), ୯ମରେ ଆଇଆଇଟି (ଗୋହାଟି) ଏବଂ ୧୦ମରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଦିଲ୍ଲୀ ରହିଛି । ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ୨୪ତମ ସ୍ଥାନରେ ଥିବାବେଳେ କିଟ୍ ବିଶ୍ବବିଦ୍ୟାଳୟ ୨୮ତମ ଓ ଏନଆଇଟି ରାଉରକେଲା ୩୪ତମ ସ୍ଥାନରେ ରହିଛି ।
୨୦୧୫ ମସିହାରୁ ପ୍ରତିବର୍ଷ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ମାନ୍ୟତା ପ୍ରକାଶ ପାଇଛି । ଏହି ମାନ୍ୟତା ଗତ ଜୁଲାଇର ପ୍ରଥମ ସପ୍ତାହରେ ପ୍ରକାଶ ପାଇବାର ଥିଲା । କିନ୍ତୁ ଲୋକସଭା ନିର୍ବାଚନ ଯୋଗୁଁ ଏହା ବିଳମ୍ବ ହୋଇଥିଲା ।