ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ଏବଂ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ବରିଷ୍ଠ ଅଧିକାରୀମାନେ ମଙ୍ଗଳବାର ଦିନ ଏହା ନିଶ୍ଚିତ କରିଛନ୍ତି। ଆମେରିକୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ସମାପ୍ତ ହେବା ପରେ ସେ ଆଜି ପୂର୍ବାହ୍ଣ ପ୍ରାୟ ୧୦ ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ ବୋଲି ଆଶା କରାଯାଉଛି।
ଅଧିକାରୀଙ୍କ ଅନୁଯାୟୀ, ସୁରକ୍ଷା ଯୋଗାଇବା ଏବଂ ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଦିଲ୍ଲୀ ପୋଲିସର ଅନେକ ଦଳକୁ ବିମାନବନ୍ଦରରେ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ କୋର୍ଟରେ ହାଜର କରିବା ପରେ କେଉଁ ଏଜେନ୍ସି ତାଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରିବ ଏବଂ ହେପାଜତକୁ ନେବ ତାହା ନିର୍ଣ୍ଣୟ କରିବା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ଆଲୋଚନା ଚାଲିଛି।
ତଦନ୍ତକାରୀମାନେ କହିଛନ୍ତି ଯେ ଅନମୋଲଙ୍କ ବିରୁଦ୍ଧରେ ସାରା ଦେଶରେ ୩୨ରୁ ଅଧିକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି - ଯେଉଁଥିରେ ରାଜସ୍ଥାନରେ ୨୦ ଟି ମାମଲା ଅନ୍ତର୍ଭୁକ୍ତ। ଅପରାଧ ତାଲିକାରେ ବେଆଇନ ଆଦାୟ, ଅପହରଣ, ହତ୍ୟା ଚେଷ୍ଟା ଏବଂ ଟାର୍ଗେଟେଡ୍ କିଲିଂ ସାମିଲ ହେଶଇଛି।। ଅଧିକାରୀ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର କେଉଁ ଏଜେନ୍ସି ପ୍ରଥମେ ହେପାଜତ ନେବ ତାହା ନିଷ୍ପତ୍ତି ନେବେ।
ଉଲ୍ଲେଖନୀୟ ଯେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗତବର୍ଷ ଅକ୍ଟୋବର ୧୨ରେ ବାନ୍ଦ୍ରାରେ ତାଙ୍କ ପୁଅର କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଅନମୋଲଙ୍କ ବଡ଼ ଭାଇ ଲରେନ୍ସ ବିଷ୍ନୋଇ ସମେତ ଅନେକ ଗ୍ୟାଙ୍ଗ ସଦସ୍ୟଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଅନମୋଲ ବିଷ୍ନୋଇ ଅନେକ ମାମଲାରେ ୱାଣ୍ଟେଡ୍। ଅନମୋଲ ବିଷ୍ନୋଇ ହେଉଛନ୍ତି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସାନ ଭାଇ, ଯିଏ ବର୍ତ୍ତମାନ ଅହମଦାବାଦର ସାବରମତୀ କେନ୍ଦ୍ରୀୟ ଜେଲରେ ବନ୍ଦୀ। ଇଣ୍ଟରପୋଲ୍ ଅନମୋଲଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରିଥିଲା।
ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ତାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ କରିଥିଲା, ତାଙ୍କୁ ଏହାର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସାମିଲ କରିଥିଲା। ଅନମୋଲ ଉପରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଆକ୍ରମଣକାରୀଙ୍କୁ ସହାୟତା କରିବାର ମଧ୍ୟ ଅଭିଯୋଗ ଅଛି। ବିଷ୍ନୋଇ ଏପ୍ରିଲ ୨୦୨୨ରେ ଭାନୁ ନାମରେ ଏକ ନକଲି ପାସପୋର୍ଟ ବ୍ୟବହାର କରି ଭାରତରୁ ପଳାଇ ଯାଇଥିଲେ। ତାଙ୍କ ପାଖରେ ଏକ ରୁଷିଆନ୍ ପାସପୋର୍ଟ ଥିବା ଜଣାପଡ଼ିଛି, ଯାହାକୁ ସେ ଜାଲ୍ କାଗଜପତ୍ର ବ୍ୟବହାର କରି ପାଇଥିଲେ। ସେ ଗୋଲ୍ଡୀ ବ୍ରାର ଏବଂ ଅନ୍ୟ ସହଯୋଗୀଙ୍କ ସହ ସମ୍ପର୍କରେ ଥିବା ମଧ୍ୟ ବିଶ୍ୱାସ କରାଯାଏ।
ଅଧିକ ପଢ଼ନ୍ତୁ: ପୁଲୱାମା ଆକ୍ରମଣର ପୁନରାବୃତ୍ତି ପାଇଁ ଜୈଶ-ଏ-ମହମ୍ମଦ ଯୋଜନା