ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ରବିବାର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଦୁଇ ଦିନ ପୂର୍ବରୁ ଡମ୍ବରୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ନବରଂଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ଦେହାନ୍ତ ନେଇ ତାଙ୍କର ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରି ଡମ୍ବରୁ ମାଝୀ ଓଡ଼ିଶା ବିଧାନସଭାକୁ ଏକାଧିକ ଥର ନିର୍ବାଚିତ ହୋଇଥିଲେ। ୧୯୬୭ରୁ ୧୯୯୦ ମଧ୍ୟରେ ଶ୍ରୀ ମାଝୀ ପରିବହନ, ଅର୍ଥ ଓ ସଂସ୍କୃତି ମନ୍ତ୍ରୀ ଭାବରେ ୪ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଥିଲେ। ଶ୍ରୀ ମାଝୀ ସ୍ବତନ୍ତ୍ର ଦଳ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ବିଜୁ ଜନତା ଦଳ ଓ ବିଜେପି ସହିତ ଜଡ଼ିତ ଥିଲେ। ତୃଣମୂଳ ସ୍ତରରେ ସେ ଭଲ ସଂଗଠନ କରିଥିଲେ। ଆଦିବାସୀମାନଙ୍କର ସ୍ବରକୁ ବିଧାନସଭାରେ ଉପସ୍ଥାପନ କରି ପାରିଥିଲେ। ୨୦୦୯ରେ ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ଶ୍ରୀ ମାଝୀ ହାରିଥିଲେ। ୨୦୧୮ ଅକ୍ଟୋବରରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ଅଧିକ ପଢ଼ନ୍ତୁ: ନାଇଜରରେ ସାମରିକ ବିଦ୍ରୋହ: ରାଜଧାନୀରେ ଗୁଳିଚାଳନା, ବିସ୍ଫୋରଣ