ଶ୍ରୀନଗର: ଉତ୍ତର କଶ୍ମୀରର କୁପଓ୍ଵାଡ଼ା ଅଧୀନ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। କୁପଓ୍ଵାରାର ଟାଙ୍ଗଦାର ଓ ମାଛଲ ସେକ୍ଟରରେ ଦୁଇଟି ପୃଥକ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ପାଖାପାଖି ଏକ ମାସ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଆତଙ୍କବାଦୀମାନେ ପୁଣି ଥରେ ନିଜର ଘୃଣ୍ୟ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। ରାଜୌରୀ ଜିଲ୍ଲାର ଖାୱାସ ତହସିଲରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏହି ଏନକାଉଣ୍ଟର ହୋଇଥିଲା।
ଜୁନ୍ ୯ରେ ରିଆସି ଆକ୍ରମଣ ପରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଛି। ଏହି ସମୟରେ ଶିବଖୋଡିରୁ ଆସୁଥିବା ଏକ ବସକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ଏହି ଆତଙ୍କବାଦୀ ଘଟଣାରେ ୯ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଜୁନ୍ ୧୧ ରେ ଜମ୍ମୁ ଡିଭିଜନର କଠୁଆ ଅଧୀନରେ ଥିବା ଏକ ଗାଁରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ଅଧିକ ପଢ଼ନ୍ତୁ:ପ୍ରୟାଗରାଜ ମଦ୍ରାସାରେ ପରିଚାଳିତ ହେଉଥିଲା ଜାଲ୍ ନୋଟ୍ କାରଖାନା