ପେନସିଲଭେନିଆ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପେନସିଲଭେନିଆର ମୋନ୍ ଭ୍ୟାଲି ୱାର୍କସ୍-ଇରଭାଇନ୍ ଇସ୍ପାତ କାରଖାନାରେ ଭାଷଣ ଦେବା ସମୟରେ ଘୋଷଣା କରିଛନ୍ତି, ଇସ୍ପାତ ଉପରେ ଆମଦାନୀ ଶୁଳ୍କକୁ ୨୫ରୁ ୫୦ ପ୍ରତିଶତକୁ ବୃଦ୍ଧି କରିବେ। ସେ ଏହି ଘୋଷଣା ଏପରି ସମୟରେ କରିଥିଲେ ଯେତେବେଳେ ସେ ଜାପାନୀ କମ୍ପାନୀ ନିପନ୍ ଷ୍ଟିଲ୍ ଏବଂ ୟୁଏସ୍ ଷ୍ଟିଲ୍ ମଧ୍ୟରେ ସହଭାଗୀତା ବିଷୟରେ କହୁଥିଲେ।
ସେ କର୍ମଚାରୀଙ୍କ ଏକ ସମାବେଶରେ କହିଥିଲେ, ଆମେ ଏହାକୁ ୨୫ରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଯାଉଛୁ, ଯାହା ଦ୍ୱାରା ଆମେରିକାର ଇସ୍ପାତ ଶିଳ୍ପକୁ ଆହୁରି ସୁରକ୍ଷିତ କରାଯାଇପାରିବ। କେହି ଏହି ନିୟମକୁ ବାଇପାସ୍ କରିପାରିବେ ନାହିଁ।
ହ୍ୱାଇଟ୍ ହାଉସ୍ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି ଯେ ଏହି ନୂତନ ଶୁଳ୍କଗୁଡ଼ିକ ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହେବ। ଟ୍ରମ୍ପ କ୍ଷମତାକୁ ଫେରିବା ପରଠାରୁ ଅନେକ ଦେଶ ଉପରେ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି, ଯେଉଁଥିରେ ଆମେରିକାର ସହଯୋଗୀ ଏବଂ ବିରୋଧୀ ଉଭୟ ଅନ୍ତର୍ଭୁକ୍ତ। ଏହା ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାରେ ଅଶାନ୍ତି ସୃଷ୍ଟି କରିଛି।
ଇସ୍ପାତ, ଆଲୁମିନିୟମ ଏବଂ ଅଟୋମୋବାଇଲ କ୍ଷେତ୍ର ଉପରେ ପୂର୍ବରୁ ୨୫% ଟିକସ ଲାଗୁ କରାଯାଇଛି। ଟ୍ରମ୍ପ ତାଙ୍କ ଭାଷଣରେ କହିଥିଲେ ଯେ ଏହି ଶୁଳ୍କଗୁଡ଼ିକ ଆମେରିକୀୟ କମ୍ପାନୀଗୁଡ଼ିକୁ ସୁରକ୍ଷା ଦିଏ ଏବଂ ଏହି କାରଖାନା ଆଜି ଚାଲୁଛି କାରଣ ସେ ପୂର୍ବରୁ ଧାତୁ ଆମଦାନୀ ଉପରେ ଶୁଳ୍କ ଲଗାଇଥିଲେ।
ତାଙ୍କ ଭାଷଣରେଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ୟୁଏସ୍ ଷ୍ଟିଲ୍ ଏବେ ବି ଆମେରିକୀୟ ନିୟନ୍ତ୍ରଣରେ ରହିବ। ଯଦିଓ ଜାପାନର ନିପନ୍ ଷ୍ଟିଲ୍ ସହିତ ସହଭାଗୀତା ଅଛି। ସେ କହିଛନ୍ତି ଯେ ଏହି ଚୁକ୍ତି ପରେ କେହି ଚାକିରି ହରାଇବେ ନାହିଁ କିମ୍ବା କୌଣସି କାମ ବିଦେଶକୁ ଯିବେ ନାହିଁ। ଚୀନର ନିମ୍ନମାନର ଇସ୍ପାତ ଉପରେ ଆମେରିକା ନିର୍ଭରଶୀଳ ନୁହେଁ।
ଅଧିକ ପଢ଼ନ୍ତୁ: ସ୍ବର ବଦଳାଇଲା କଲମ୍ବିଆ