ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଅବସରରେ ଗୁରୁବାର ରାତିରେ ଦିଲ୍ଲୀରେ ବାଣ ଫୁଟାଇବା ଦେଖିବାକୁ ମିଳିଥିଲା। ଫଳରେ ଦିଲ୍ଲୀର ଜଳବାୟୁ ବିଷାକ୍ତ ହୋଇପଡ଼ିଥିଲା। ଶୁକ୍ରବାର ସକାଳେ ଲୋକମାନେ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ। ଆଖି ଜଳାପୋଡ଼ା ଓ ଗଳା ଯନ୍ତ୍ରଣାର ଅଭିଯୋଗ ବହୁ ମାତ୍ରାରେ ସାମ୍ନାକୁ ଆସିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପରୁ ଗୁରୁତର ଶ୍ରେଣୀରେ ରେକର୍ଡ କରାଯାଇଛି।
ଶୁକ୍ରବାର ସକାଳେ ଦିଲ୍ଲୀର ଏକ୍ୟୁଆଇ ଜାହାଙ୍ଗୀରପୁରୀରେ ୪୧୭, ଲୋନିରେ ୩୭୭, ପୁଟ୍ଖୋର୍ଦରେ ୩୭୦, ଇହବାସରେ ୩୫୭, ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ୩୫୬, ଆଲିପୁରରେ ୩୫୧, ଦ୍ୱାରକା ସେକ୍ଟରରେ ୩୪୭, ମାଲବ୍ୟ ନଗରରେ ୩୩୫, ଆନନ୍ଦ ବିହାରରେ ୩୩୧, କାଟୱାରିଆ ସରାଇରେ ୩୩୧, ଅଶୋକ ବିହାରରେ ୩୨୪, ବୱାନା ଶିଳ୍ପାଞ୍ଚଳରେ ୩୨୮ ରହିଥିଲା। କନାଟ ପ୍ଲେସ୍ (୩୨୯), ଗ୍ରେଟର କୈଳାସ (୩୧୯), ଜିଟିବି ନଗର (୩୨୨), ମୟୂର ବିହାର (୩୨୨), ହରି ନଗର (୩୧୬), ରୋହିଣୀ (୩୩୯) ସମେତ ସମସ୍ତ ଅଞ୍ଚଳରେ ପ୍ରଦୂଷଣ ଗୁରୁତର ବର୍ଗରେ ରେକର୍ଡ କରାଯାଇଛି।
ବାଣ ନିଷେଧାଦେଶକୁ ଉଲ୍ଲଂଘନ କରି ଲୋକେ ଦିଲ୍ଲୀରେ ବଡ଼ଧରଣର ବାଣ ଜାଳି ଦୀପାବଳି ପାଳନ କରିଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆପ୍ ଦ୍ୱାରା ପ୍ରକାଶିତ ଘଣ୍ଟିଆ ଜାତୀୟ ଏକ୍ୟୁଆଇ ଅନୁଯାୟୀ, ରାତି ୯ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୨୭ ରେକର୍ଡ କରାଯାଇଛି। ବୁଧବାର ଦିନ ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ୩୨୮ ଥିଲା, ଯାହା ଦୀପାବଳିରେ ଗତ ତିନି ବର୍ଷ ମଧ୍ୟରେ ଦିଲ୍ଲୀରେ ସବୁଠାରୁ ଖରାପ ବାୟୁ ଗୁଣବତ୍ତା ଥିଲା।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ୨୦୨୩ ରେ ଦୀପାବଳିରେ ଆକାଶ ସ୍ୱଚ୍ଛ ଥିଲା। ଖରା ପଡ଼ିଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୧୮ ରେକର୍ଡ କରାଯାଇଛି। ୨୦୨୨ରେ ୩୧୨, ୨୦୨୧ରେ ୩୮୨, ୨୦୨୦ରେ ୪୧୪, ୨୦୧୯ରେ ୩୩୭, ୨୦୧୮ରେ ୨୮୧, ୨୦୧୭ରେ ୩୧୯ ଓ ୨୦୧୬ରେ ୪୩୧ ଏକ୍ୟୁଆଇ ରେକର୍ଡ କରାଯାଇଥିଲା। ୨୦୨୩ରେ ଦୀପାବଳି ପୂର୍ବରୁ ବର୍ଷା ଓ ଅନୁକୂଳ ପାଗ ଯୋଗୁଁ ଦିଲ୍ଲୀକୁ ଗ୍ୟାସ୍ ଚେମ୍ବରରେ ପରିଣତ ହେବାରୁ ରକ୍ଷା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ସବୁଠି 'ପ୍ରଦୂଷଣ'ର ଧୂଆଁ