ନୂଆଦିଲ୍ଲୀ: ଅବକାରୀ ନୀତି ସଂପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଆଧାରରେ ଜାମିନ ମିଳିଛି। ମାତ୍ର କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪୮ ଘଣ୍ଟାର ସମୟ ମାଗିଥିଲା। ଇଡିର ଏହି ଦଲିଲକୁ କୋର୍ଟ ଖାରଜ କରିଦେଇଥିଲେ। କୁହାଯାଉଛି ଯେ, କେଜ୍ରିୱାଲ ଆଜି ତିହାର ଜେଲରୁ ମୁକୁଳିବେ। ଅନ୍ୟପଟରେ ଜାମିନ ବିରୋଧରେ ଇଡି ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ଶୁଣାଣି ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ଜାମିନରେ ରୋକ ଲାଗିଛି।
ସ୍ବତନ୍ତ୍ର ବିଚାରପତି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିବା ଅବସରରେ କହିଛନ୍ତି, ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ ଦେବାକୁ ପଡ଼ିବ। ଏତଦ୍ ବ୍ୟତୀତ ଜାମିନ ପ୍ରଦାନ କରିବା ପୂର୍ବରୁ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଏଥିରେ କୁହାଯାଇଛି ଯେ, ତଦନ୍ତରେ ବାଧା ଦେବା ପାଇଁ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେ ନାହିଁ। କୋର୍ଟଙ୍କ ଆଦେଶ କ୍ରମେ ଅଦାଲତରେ ହାଜର ହେବେ। ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଇଡି ଦାବି କରିଥିଲା ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଦ୍ବାରା ମଦ ନୀତି ମାମଲାରେ ୧୦୦ କୋଟି ଟଙ୍କା ଲାଞ୍ଚ ମାଗିଥିବାର ପ୍ରମାଣ ଅଛି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଅଭିଯୋଗ ଆଣିଛି ଯେ, ମଦ ବିକ୍ରେତାଙ୍କ ଠାରୁ ମିଳିଥିବା ଲାଞ୍ଚ ଟଙ୍କା ଗୋଆରେ ଆପ୍ର ନିର୍ବାଚନ ଅଭିଯାନରେ ବିନିଯୋଗ ହୋଇଛି।