ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ
Khabar Odisha:Blood-crisis-erupted-in-VIMSAR-blood-bank-in-Burla
ବୁର୍ଲା, ଅଗଷ୍ଟ ୦୧ (ଖବର ଓଡ଼ିଶା):

ବୁର୍ଲା ଭୀମସାର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତର ଅଭାବ । ବର୍ତ୍ତମାନ କରୋନା କବଳରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଉଭୟ କତ୍ତୃପକ୍ଷ ଓ ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି । ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ବୁଲୁଥିଲେ ମଧ୍ୟ କରୋନା ପାଇଁ ରକ୍ତ ସଂଗ୍ରହ ସଂଖ୍ୟା ଢେର କମିଯାଉଥିବା ରକ୍ତ ଭଣ୍ଡାରର ଅଧିକାରୀ କହିଛନ୍ତି । ଭୀମସାର ପଶ୍ଚିମ ଓଡିଶା ସମେତ ପଡେ଼ାଶୀ ରାଜ୍ୟ ଛତିଶଗଡ଼,ଏବଂ ଝାଡଖଣ୍ଡର ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାତ୍ର ସହାରା ପାଲିଟିଛି ।

ବର୍ତ୍ତମାନ କରୋନା ସ୍ଥିତିରେ ଅନ୍ୟ ଜିଲ୍ଲା ମେଡ଼ିକାଲକୁ କରୋନା ହସ୍ପିଟାଲ କରାଯାଇଥିବା ବେଳେ ସେହି ଜିଲ୍ଲାର ସାଧାରଣ ରୋଗୀ ମାନେ ସବୁ ବୁର୍ଲା ମୁହାଁ ହେଉଛନ୍ତି । ଫଳରେ ଭୀମସାରରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ତେବେ ବୁର୍ଲାରେ ଥିବା ବୁର୍ଲା ରକ୍ତ ଭଣ୍ଡାର କେନ୍ଦ୍ରରେ ବର୍ତ୍ତମାନ କରୋନା ସ୍ଥିତିରେ ଦୈନିକ ପ୍ରାୟ ୧୦୦ ୟୁନିଟ ଦରକାର ପଡୁଥିବା ବେଳେ ଭୀମସାର ରକ୍ତ ଭଣ୍ଡାରରେ ୧୨ ଶହ ୟୁନିଟ ରକ୍ତ ଜମା ରହିବାର ବ୍ୟବସ୍ଥା ରହିଛି । କିଛି ଦିନ ପୂର୍ବରୁ ଓପିଡ଼ି ସେବା ବନ୍ଦ ଥିବା କାରଣରୁ ରୋଗୀ ସଂଖ୍ୟା କମିଯାଉଥିଲା । ତେବେ ସେହି ସମୟରେ ମଧ୍ୟ ୩୦ ରୁ ୪୦ ୟୁନିଟ ରକ୍ତ ମେଡିକାଲକୁ ଆସୁଥିବା ରୋଗୀଙ୍କ ପାଇଁ ଦରକାର ପଡୁଥିଲା । 

ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ରକ୍ତ ଭଣ୍ଡାରରେ ସମୁଦାୟ ୨୦ ରୁ ୨୨ ୟୁନିଟ ରକ୍ତ ରହିଥିବା ରକ୍ତଭଣ୍ଡାର ଅଧିକାରୀ କହିଛନ୍ତି । ଫଳରେ ପ୍ରତିଦିନ ଅନେକ ରୋଗୀ ରକ୍ତ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଯେଉଁ ରୋଗୀଙ୍କୁ ରକ୍ତ ଦରକାର ପଡିଲେ ରକ୍ତ ଦାତା ରକ୍ତ ଦାନ କଲେ ରକ୍ତ ମୁଳୁଛି ନ ହେଲେ ନାହିଁ । ତେବେ ବର୍ତ୍ତମାନ କରୋନା ପାଇଁ ଲୋକେ ଭୟଭୀତ ଥିବାରୁ ରକ୍ତ ଦାନ ଶିବିର ଗୁଡ଼ିକ ଅନୁଷ୍ଠିତ ହୋଇ ପାରୁନାହିଁ ।

 ରକ୍ତ ସଂଗ୍ରହ ପାଇଁ ଭୀମସାରରେ ଥିବା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ବୁଲୁଥିଲେ ମଧ୍ୟ ରକ୍ତ ଦାତା ସେହି ଅନୁପାତରେ ଆସୁନାହାନ୍ତି । ଫଳରେ ବର୍ତ୍ତମାନ ଭୀମସାର ପାଇଁ ରକ୍ତ ଅଭାବ ଚିନ୍ତାର କାରଣ ପାଲିଟିଛି । ପ୍ରତିଦିନ ଭୀମସାରକୁ ଅନେକ ଗୁରୁତ୍ୱର ରୋଗୀ ଆସୁଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ ୟୁନିଟ ସଞ୍ଚୟ କରା ନଗଲେ ଅନେକ ରୋଗୀଙ୍କ ଜୀବନ ବିପଦରେ ପଡିବା ସ୍ୱାଭାବିକ । ତେବେ ବର୍ତ୍ତମାନ ସମୟରେ ରକ୍ତ ଦାତା ମାନେ ବହୁ ସଂଖ୍ୟାରେ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ଦାନ କରି ରକ୍ତ ୟୁନିଟ ବଢାଇବା ପାଇଁ ରକ୍ତ ଭଣ୍ଡାର ପକ୍ଷରୁ ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment