ନ୍ୟୁୟର୍କ: ବେଲାରୁସର ଆର୍ୟନା ସାବାଲେଙ୍କା ୟୁଏସ୍ ଓପନ୍ ୨୦୨୫ରେ ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଶନିବାର ନ୍ୟୁୟର୍କର ଆର୍ଥର ଆସେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ, ଆର୍ୟନା ସାବାଲେଙ୍କା ଆମେରିକାର ଆମାଣ୍ଡା ଆନିସିମୋଭାଙ୍କୁ ୬-୩, ୭-୩ (୩)ରେ ପରାସ୍ତ କରିଛନ୍ତି। ଅଷ୍ଟମ ମାନ୍ୟତାପ୍ରାପ୍ତ ଆନିସିମୋଭାଙ୍କ ବିପକ୍ଷରେ ମ୍ୟାଚ୍ ଜିତିବା ପାଇଁ ସାବାଲେଙ୍କା ୧ ଘଣ୍ଟା ୩୪ ମିନିଟ୍ ସମୟ ନେଇଥିଲେ।
ଆର୍ୟନା ସାବାଲେଙ୍କା କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇଛନ୍ତି। ସେ ଗତ ବର୍ଷ ମଧ୍ୟ ଏଠାରେ ଟାଇଟଲ୍ ଜିତିଥିଲେ। ୨୦୧୪ ପରେ ଏହା ପ୍ରଥମ ଥର ଯେ ଜଣେ ଖେଳାଳି ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସରେ ତାଙ୍କ ଟାଇଟଲ୍ ରକ୍ଷା କରିଛନ୍ତି। ଏହା ସାବାଲେଙ୍କାଙ୍କ ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଥିଲା।
ଆର୍ୟନା ସାବାଲେଙ୍କା ଦୁଇଥର (୨୦୨୩ ଓ ୨୦୨୪) ଅଷ୍ଟ୍ରେଲିଆନ୍ ଓପନ୍ ମଧ୍ୟ ଜିତିଛନ୍ତି। ଅନ୍ୟପକ୍ଷରେ, ଆମାଣ୍ଡା ଆନିସିମୋଭା ତାଙ୍କର କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲ୍ ଖେଳୁଥିଲେ, କିନ୍ତୁ ଟାଇଟଲ୍ ଜିତିପାରି ନଥିଲେ। ୱିମ୍ବଲଡନ୍ ୨୦୨୫ ମହିଳା ସିଙ୍ଗଲ୍ସ ଫାଇନାଲ୍ ରେ, ଆନିସିମୋଭଙ୍କୁ ପୋଲାଣ୍ଡର ଇଗା ସ୍ୱିଆଟେକ୍ ଙ୍କ ଠାରୁ ୦-୬, ୦-୬ରେ ଏକ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
୨୭ ବର୍ଷୀୟା ଆରିନା ସାବାଲେଙ୍କା ପ୍ରଥମ ସେମିଫାଇନାଲ୍ରେ ଆମେରିକାର ଜେସିକା ପେଗୁଲାଙ୍କୁ ୪-୬, ୬-୩, ୬-୪ ରେ ପରାସ୍ତ କରି ଟାଇଟଲ୍ ମ୍ୟାଚ୍ ରେ ସ୍ଥାନ ପାଇଥିଲେ। ୨୪ ବର୍ଷୀୟା ଆମାଣ୍ଡା ଆନିସିମୋଭା ସେମିଫାଇନାଲ୍ରେ ଜାପାନୀ ଖେଳାଳି ନାଓମି ଓସାକାଙ୍କୁ ୬-୭ (୪), ୭-୬ (3), ୬-୩ରେ ପରାସ୍ତ କରିଥିଲେ।
ଅନ୍ୟପକ୍ଷରେ, ବିଶ୍ୱ ନମ୍ବର ୧ ଜାନିକ୍ ସିନର ୭ ସେପ୍ଟେମ୍ବର (ରବିବାର) ରେ ୟୁଏସ୍ ଓପନ୍ ୨୦୨୫ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ରେ ସ୍ପେନର କାର୍ଲୋସ୍ ଆଲକାରାଜଙ୍କୁ ଭେଟିବେ। ଇଟାଲୀୟ ଖେଳାଳି ସିନର ଦ୍ୱିତୀୟ ସେମିଫାଇନାଲରେ କାନାଡାର ଫେଲିକ୍ସ ଅଗର ଆଲିଆସିମ (୨୫ତମ ସିଡ୍)ଙ୍କୁ ୬-୧, ୩-୬, ୬-୩, ୬-୪ରେ ପରାସ୍ତ କରିଥିଲେ। ବିଶ୍ୱର ୨ ନମ୍ବର ଖେଳାଳି ଆଲକାରାଜ ପ୍ରଥମ ସେମିଫାଇନାଲରେ ସପ୍ତମ ସିଡ୍ ସର୍ବିଆର ନୋଭାକ ଜୋକୋଭିଚଙ୍କୁ ୬-୪, ୭-୬ (୪), ୬-୨ରେ ପରାସ୍ତ କରିଥିଲେ।
ଅଧିକ ପଢ଼ନ୍ତୁ: ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସରକାର