ବଢୁଛି ଆନ୍ଧ୍ର -ଓଡିଶା ସୀମା ବିବାଦ: କୋଟିଆ, ଗଞ୍ଜାମ ଓ ଗଜପତି ପରେ ଏବେ ରାୟଗଡାରେ ଆନ୍ଧ୍ରର ନଜର
Khabar Odisha:Andhrapradesh-making-Road-in-Rayagada-district
ଭୁବନେଶ୍ୱର, ଫେବୃଆରୀ 23 (ଖବର ଓଡିଶା) :

ଆନ୍ଧ୍ର -ଓଡିଶା ସୀମା ବିବାଦ ବଢିବାରେ ଲାଗିଛି । ପୁଣି ଆନ୍ଧ୍ର ନଜରରେ ରହିଛି ଓଡିଶାର ସୀମାନ୍ତ ଅଞ୍ଚଳ । ଓଡିଶା ସୀମାରେ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର  । ପ୍ରଥମେ କୋରାପୁଟ ଜିଲ୍ଲାର କୋଟିଆ, ପରେ ଗଞ୍ଜାମ ଗଜପତି ଆଉ ଏବେ ରାୟଗଡା ଜିଲ୍ଲାରେ ରହିଛି ଆନ୍ଧ୍ରର ନଜର  । ପ୍ରଶାସନର ତାଗିଦ ପରେ ବନ୍ଦ ହୋଇଛି ରାସ୍ତା ନିର୍ମାଣ କାମ ।

ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି ଚରମ ସୀମାରେ ପହଁଞ୍ଚିଛି ଓଡିଶାର କିଛି ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ନିଜ ଆଧିପତ୍ୟ ଜାହିର କରୁଛି ଓଡ଼ିଶାର ସୀମାବର୍ତ୍ତି ତଥା ଦୁର୍ଗମ ଗିରି କନ୍ଦର ଅଞ୍ଚଳ ଉପରେ ଏବେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡିଛି । ରାୟଗଡା ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ କବଜା କରିବା ଲକ୍ଷ୍ୟରେ ରହିଛି ଆନ୍ଧ୍ର ସରକାର । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ର ଦୁର୍ଗମ ମୋରମା ପଞ୍ଚାୟତର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ସରକାର ନିର୍ମାଣ କରୁଛନ୍ତି ରାସ୍ତା । ଗୁଣୁପୁର ଉପଖଣ୍ଡ ପ୍ରଶାସନର ତାଗିଦ ପରେ ଏବେ ଏଠାରେ କାମ ବନ୍ଦ ରହିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ 28 ଟି ଗାଁ ରହିଥିବାବେଳେ ସେଥିରୁ 21ଟି ଗାଁ ବିବାଦୀୟ ରହିଛିକୋଟିଆ ଓ ଗଞ୍ଜାମର କିଛି ଅଞ୍ଚଳରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ମଧ୍ୟ କରିଛି  । ତେବେ ଏବେ ରାୟଗଡାର ଦୁର୍ଗମ ମୋରମା ପଞ୍ଚାୟତର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ସରକାର ନିର୍ମାଣ କରୁଛନ୍ତି ରାସ୍ତା ।

ଗୁଣୁପୁର ବ୍ଲକ ମୋରମା ପଞ୍ଚାୟତ ଅନ୍ତର୍ଗତ କତାଗୁଡା ଗ୍ରାମ ନିକଟରେ ଥିବା ଇରିଡି ଘାଟି ଅଞ୍ଚଳରେ ପାହାଡ଼ କଟାଯାଇ ତିଆରି କରାଯାଉଛି ରାସ୍ତା । କଲଭର୍ଟ ବି ନିର୍ମାଣ ହୋଇଛି । ପକ୍କା ରାସ୍ତା ନିର୍ମାଣ ପାଇଁ ଜମା ହୋଇଛି ଚିପ୍ସ ଓ ବାଲି । ଏହି ରାସ୍ତା ତିଆରି କରୁଛନ୍ତି ଆନ୍ଧ୍ର ସରକାର  । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମୁନିମଖୋଲରୁ ଓଡ଼ିଶାର ଇରିଡି ଘାଟି ଦେଇ ପ୍ରାୟ  2 କିଲୋମିଟର ରାସ୍ତା ଆନ୍ଧ୍ର ସରକାର ନିର୍ମାଣ କରାଉଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ରାୟଗଡା ବ୍ଲକ ବୈରାଗୀ ହାଲୁଆ ପଞ୍ଚାୟତର ବଡ କୁଲୁଟି ଅଞ୍ଚଳରେ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା । ଜିଲ୍ଲାରେ ଏଭଳି ଘଟଣା ଦ୍ୱିତୀୟ ଥର ଦେଖିବାକୁ ମିଳିଛି ।

କୌଣସି ସୂତ୍ରରୁ ଖବର ପାଇ ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି  । ଓଡିଶା ସୀମା ନିର୍ଦ୍ଧାରଣ କରି ଏକ ସୀମାନ୍ତ ଫଳକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ରାୟଗଡା ଜିଲ୍ଲା ପ୍ରଶାସନ । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବର୍ତ୍ତମାନ ସେଠାରେ ଆନ୍ଧ୍ର ପକ୍ଷରୁ ରାସ୍ତା ତିଆରି କାର୍ଯ୍ୟ ବନ୍ଦ ରହିଛି   

 

  • Tags:

Subscribe

National International State Sports Entertainment