ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ। ଆଜି ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆମ୍ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ ନଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦିଲ୍ଲୀର ନୂଆ ସରକାରରେ କୌଣସି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ। କେବଳ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା। ଏଥିରେ ଦୁଇ ଜଣଙ୍କ ନାମ ଚୟନ କରାଯାଇଥିଲା, ସେଥିମଧ୍ୟରୁ ଜଣେ ହେଉଛନ୍ତି ଅତିଶୀ। ଦଳର ଉଦ୍ଦେଶ୍ୟ ହେଉଛି ବ୍ୟବସ୍ଥା ଜାଣିଥିବା ଏବଂ କାମ କରିଥିବା ବ୍ୟକ୍ତିଙ୍କୁ ଆଣିବା । ଅରବିନ୍ଦ କେଜ୍ରିୱାଲ ଗତ ଦୁଇ ଘଣ୍ଟା ଧରି ୨ଟି ନାମକୁ ନେଇ ନେତାଙ୍କ ସହ ପରାମର୍ଶ କରିଥିଲେ। ମନୀଷ ସିସୋଦିଆ ପୁଣି ଥରେ ଆତିଶୀଙ୍କ ପାଇଁ ପ୍ରୟାସ କରିଥିଲେ।
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମକୁ ଅନୁମୋଦନ କରିବା ପାଇଁ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକ ବସିଥିଲା। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅପରାହ୍ନ ସାଢ଼େ ୪ଟାରେ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟିବେ। ଏହି ସମୟରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଆଶା କରାଯାଉଛି। ଇସ୍ତଫା ସହିତ ବିଧାୟକ ଦଳ ନେତାଙ୍କ ନାମରେ ଏକ ଚିଠି ମଧ୍ୟ ଉପରାଜ୍ୟପାଳଙ୍କୁ ହସ୍ତାନ୍ତର କରାଯାଇପାରିବ। ଦୁଇ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜନଅଦାଲତକୁ ଯିବେ ବୋଲି କେଜ୍ରିୱାଲ ଗତକାଲି ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ: ମୋଦୀ ସରକାର ୩.୦କୁ ୧୦୦ ଦିନ