ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆମେରିକାର ଇତିହାସରେ ପ୍ରଥମ ଥର ବହୁତ ବଡ଼ ହିଂସା ଦେଖିବାକୁ ମିଳିଛି। ପୁଣି ଥରେ ହିଂସାର ମାର୍ଗରେ ଯାଇପାରିବା ନାହିଁ। ସ୍ଥାନୀୟ ସମୟ ଅନୁସାରେ ରବିବାର (ଜୁଲାଇ ୧୪) ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଜୋ ବାଇଡେନ ଏହା କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ନେଇ ବାଇଡେନ୍ କହିଛନ୍ତି, ଆମେରିକାରେ ଏହି ଭଳି ହିଂସାର କୌଣସି ସ୍ଥାନ ନାହିଁ।
ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଶନିବାର (ଜୁଲାଇ ୧୩)ରେ ପେନସିଲଭେନିଆରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ଆକ୍ରମଣକାରୀ ଗୁଳିମାଡ଼ କରିଥିଲା। ଏହି ଗୁଳି ଟ୍ରମ୍ପଙ୍କ ଅତି ନିକଟରୁ ଅତିକ୍ରମ କରିଥିଲା। ଫଳରେ ଟ୍ରମ୍ପ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। କନ୍ତୁ ଟ୍ରମ୍ପଙ୍କ କାନ ଓ ମୁହଁରେ ଗୁଳିର କିଛି ଅଂଶ ବାଜିଥିଲା। ଫଳରେ ରକ୍ତସ୍ରାବ ହୋଇଥିଲା। ଏହି ଗୁଳିମାଡ଼ରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ। ଟ୍ରମ୍ପଙ୍କ ସୁରକ୍ଷାରେ ମୁତୟନ ସିକ୍ରେଟ ସର୍ଭିସର ଯବାନମାନେ ୨୦ ବର୍ଷୀୟ ଆକ୍ରମଣକାରୀ ଥୋମାସ ମ୍ୟାଥ୍ୟୁ କ୍ରୁକ୍ସକୁ ଘଟଣାସ୍ଥଳରେ ଗୁଳିମାଡ଼ କରି ନିହତ କରିଥିଲେ।
ଦେଶବାସୀଙ୍କୁ ସମ୍ବୋଧିତ କରି ବାଇଡେନ କହିଛନ୍ତି, ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଜଣେ ନାଗରିକଙ୍କ ମୃତ୍ୟୁ ହୋଇଛି। ଆମେ ଆମରିକାକୁ ହିଂସା ପଛରେ ଛାଡ଼ିପାରିବା ନାହିଁ। ପୂର୍ବରୁ ମଧ୍ୟ ଆମେ ଏହିଭଳି ଇତିହାସ ଦେଖିଛେ। ବାଇଡେନ ନିକଟରେ ଆମେରିକାରେ ହୋଇଥିବା ଆକ୍ରମଣକୁ ମଧ୍ୟ ମନେ ପକାଇଛନ୍ତି। ସେ କହିଛନ୍ତି, ଆମେରିକାରେ କୌଣସି ପ୍ରକାରର ହିଂସାକୁ ପ୍ରଶୟ ଦିଆଯିବ ନାହିଁ। ଏଥିରେ କୌଣସି ସନ୍ଦେହ ନାହିଁ। ହିଂସାକୁ ଆମେ ସାଧାରଣ ଭାବି ପାରିବା ନାହିଁ।