ଓଡ଼ିଆ ପୁଅ ମୃତ୍ୟୁଞ୍ଜୟଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଡବ୍ଲ୍ୟୁଏମଓ ବା ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି । ଡବ୍ଲ୍ୟୁଏମଓ ର ତିନି ଜଣ ଉପାଧ୍ୟକ୍ଷଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ଉପାଧ୍ୟକ୍ଷ ନିର୍ବାଚନରେ ମୃତ୍ୟୁଞ୍ଜୟଙ୍କୁ ୧୪୮ ଭୋଟରୁ ୧୧୩ ଭୋଟ ମିଳିଥିଲା । ଏନେଇ ଭାରତୀୟ ପାଣିପାଗ ବିଭାଗକୁ ଛୁଟିଛି ଶୁଭେଚ୍ଛାର ସୁଅ।
ନିକଟରେ ଡବ୍ଲ୍ୟୁଏମଓ କାର୍ଯ୍ୟନିର୍ବାହୀ ପରିଷଦର ନୂତନ ସଭ୍ୟ ପଦ ପାଇଁ ମତଦାନ ହୋଇଥିଲା । ଭାରତ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ) ର ଉପ-ସଭାପତି ର ତିନୋଟି ପଦବୀ ମଧ୍ୟରୁ ଗୋଟିଏ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ଗସ୍ତରେ ଶ୍ରୀଯୁକ୍ତ ମହାପାତ୍ର ଭାରତ ସରକାରଙ୍କ ପକ୍ଷରୁ ଅନେକ ନୂତନ ଚୁକ୍ତି ସ୍ଵାକ୍ଷର କରିବା ସହିତ ପାଣିପାଗ ବିଜ୍ଞାନରେ ଭାରତର ସଫଳତାକୁ ଆଲୋକିତ କରିଥିଲେ । ସାଇକ୍ଲୋନ ସମୟରେ ଭାରତ କିପରି ଜୀବନ ହାନି ରୋକିବାରେ ସଫଳ ହୋଇଥିଲା ତାହା ବ୍ୟାଖ୍ୟା କରିଥିଲେ।
ଭାରତରେ ଆସୁଥିବା ବିଭିନ୍ନ ବାତ୍ୟାର ସଠିକ ଆକଳନ କରୁଥିବାରୁ ସେ ସାଇକ୍ଲୋନ ମ୍ୟାନ ଭାବେ ମଧ୍ୟ ପରିଚିତ । ତେବେ ନୂତନ ଦାୟିତ୍ବ ସହ ପୂରା ବିଶ୍ବର କଲ୍ୟାଣ ପାଇଁ ପାଣିପାଗ ଏବଂ ଜଳବାୟୁ ସମ୍ବନ୍ଧୀୟ ସେବାରେ ନେତୃତ୍ବ ପ୍ରଦାନ କରିବାକୁ ଯାଉଥିବାରୁ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।