ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ନେଇ ବଡ ଭବିଷ୍ୟତବାଣୀ କରିଛନ୍ତି । ମସ୍କ ଦାବି କରିଛନ୍ତି ଯେ, ଆଗାମୀ ନିର୍ବାଚନରେ ଟ୍ରୁଡୋ ପରାଜିତ ହେବ । ନିକଟରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସଂପନ୍ନ ହୋଇଛି ଏବଂ ଏଥିରେ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି । ଆଉ ଟ୍ରମ୍ପଙ୍କ ପ୍ରଚାର ଅଭିଯାନରେ ମସ୍କ ବଡ ଭୂମିକା ଗ୍ରହଣ କରିଥିଲେ ।
ନିକଟରେ ଜଣେ ୟୁଜର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏଲନ ମସ୍କଙ୍କୁ ଟ୍ୟାଗ୍ କରିଥିଲେ । ସେ ଲେଖିଥିଲେ, ଏଲନ ମସ୍କ ଜଷ୍ଟିନ ଟ୍ରୁଡୋଙ୍କଠୁ ତ୍ରାହି ପାଇବା ପାଇଁ ଆପଣଙ୍କ ସାହାଯ୍ୟ ଦରକାର । ଏହା ଉପରେ ମସ୍କ ଜବାବ ଦେଇଛନ୍ତି, ଆଗାମୀ ନିର୍ବାଚନରେ ଟ୍ରୁଡୋଙ୍କ ପରାଜୟ ଘଟିବ । ୨୦୨୫ରେ କାନାଡାରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି । ଆଉ ଟ୍ରୁଡୋ ନିଜ ଦେଶରେ ଲିବେରାଲ ପାର୍ଟିରେ ବିରୋଧର ସମ୍ମୁଖୀନ ହେଉଛନ୍ତି ।
କାନାଡାରେ ଆଗାମୀ ନିର୍ବାଚନରେ ଟ୍ରୁଡୋଙ୍କ ସାମ୍ନା ବଡ ଦଳ ସହିତ ହେବାକୁ ଯାଉଛି । ଏଥିରେ ବିରୋଧୀ ଦଳ ନେତା ପିୟରେ ପଲିଭିୟରଙ୍କ କଞ୍ଜରଭେଟିଭ ପାର୍ଟି ଓ ଜଗମୀତ ସିଂଙ୍କ ନେତୃତ୍ୱାଧୀନ ଏନଡିପି ଟ୍ରୁଡୋଙ୍କ ବିପକ୍ଷରେ ମଇଦାନରେ ରହିବେ । ନିକଟରେ ଲିବେରାଲ ପାର୍ଟିର ଅନେକ ସାଂସଦ ଟ୍ରୁଡୋଙ୍କୁ ପଦରୁ ହଟାଇବା ପାଇଁ ହସ୍ତାକ୍ଷର କରିଥିଲେ । ଏବେ ଏଲନ ମସ୍କଙ୍କ ଦୃଢୋକ୍ତି ଟ୍ରୁଡୋ ଆଗାମୀ ନିର୍ବାଚନ ହାରିବାକୁ ଯାଉଛନ୍ତି । ଏହି ଖବର ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି ।