ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ସମୁଦ୍ର ମଧ୍ୟ ଭାଗରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଉତ୍ତର ସୁଲାବେସୀ ସମୁଦ୍ର କୂଳ ନିକଟରେ ଏକ ବୋଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ସମୟରେ ବୋଟରେ ୩୦୦ ଯାତ୍ରୀ ଥିଲେ। ନିଆଁ ଲାଗିବା ମାତ୍ରେ ବୋଟରେ ଚାଞ୍ଚଲ୍ୟ ଖେଳିଯିବା ସହ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଲୋକ ନିଜର ଜୀବନ ବଞ୍ଚାଇବା ପାଇଁ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି।
ଖବର ଅନୁଯାୟୀ, ଏମ ବାର୍ସିଲୋନା ନାମକ ଏହି ବୋଟରେ ଅପରାହ୍ଣ ପ୍ରାୟ ୧ଟା ୩୦ରେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ, ଦେଖୁ ଦେଖୁ ପୂରା ବୋଟକୁ ଗ୍ରାସି ଯାଇଥିଲା। ବୋଟ୍ଟି ହୁତୁହୁତୁ ହୋଇ ଜଳିବା ସହ ସୁଉଚ୍ଚର କଳା ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ଏହି ହୃଦୟ ବିଦାରକ ଦୃଶ୍ୟକୁ ଅନେକ ଯାତ୍ରୀ ନିଜ ମୋବାଇଲରେ କଏଦ କରିଛନ୍ତି। ବର୍ତ୍ତମାନ ସୂଚନା ଅନୁଯାୟୀ, ୧୮ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି।
ରିପୋର୍ଟ ଅନୁଯାୟୀ, ବୋଟରେ ମୋଟ୍ ୩୦୦ ଜଣ ଯାତ୍ରୀ ଥିଲେ। ଏଥିରେ ଅନେକ ଶିଶୁ ବି ସାମିଲ୍ ଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ଇଣ୍ଡୋନେସିଆର ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ବୋଟ୍ରୁ ବାହାର କରିଥିଲେ। ଏ ପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କ ମୃତାହତର ଖବର ନାହିଁ। ଏହି ପୂରା ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ନିଆଁ ଲାଗିବାର ସୂଚନା ସାମ୍ନାକୁ ଆସିବା ମାତ୍ରେ ବୋଟରେ ଥିବା ଲୋକ ଚିତ୍କାର କରିବାକୁ ଲାଗନ୍ତି। ସେଠାରେ ଆଖପାଖରେ ଥିବା ମତ୍ସ୍ୟଜୀବୀମାନେ ସାହାଯ୍ୟ ପାଇଁ ଆଗେଇ ଆସନ୍ତି। ମାତ୍ର ଅଧିକ ଲୋକ ଥିବାରୁ ସେମାନେ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ତଥାପି ଅନେକ ଲୋକ ନିଜର ଜୀବନ ବଞ୍ଚାଇବା ପାଇଁ ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ଚଢି କୂଳ ପର୍ଯ୍ୟନ୍ତ ଆସିବାରେ ସଫଳ ହୋଇଛନ୍ତି।