ବର୍ଲିନ: ଜର୍ମାନୀର ବୋମଟେ ନାମକ ଏକ ଅଞ୍ଚଳରେ ଏକ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି। ଏକ କାର ନିୟନ୍ତ୍ରଣ ହରାଇ ପ୍ରଥମେ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା ଏବଂ ପରେ ବୁଦା ଦେଇ ଏକ ବଗିଚାରେ ପ୍ରବେଶ କରିଥିଲା। ଏହି ସମୟରେ ଏକ ଟ୍ରାମ୍ପୋଲାଇନ୍ରେ ଖେଳୁଥିବା ଏକ ପିଲାକୁ ମଧ୍ୟ କାର ଧକ୍କା ଦେଇଥିଲା ।
ପୋଲିସ କହିବା ଅନୁସାରେ ଧକ୍କା ଦେଲାପରେ କାରଟି ଡେଇଁ ପଡ଼ି ନିକଟସ୍ଥ ଏକ ବାର୍ନର ଛାତରେ ଫସିଗଲା। ଏହି ଛାତଟି ଭୂମିରୁ ପ୍ରାୟ ୩ ମିଟର (୧୦ ଫୁଟ) ଉଚ୍ଚରେ ଥିଲା। ଦୁର୍ଘଟଣା ସମୟରେ ଜଣେ ୪୨ ବର୍ଷୀୟ ବ୍ୟକ୍ତି କାରରେ ଥିଲେ। ତାଙ୍କ ସହିତ ତାଙ୍କ ସ୍ତ୍ରୀ ଏବଂ ତିନି ଜଣ ପିଲା ମଧ୍ୟ କାରରେ ଥିଲେ। କୁହାଯାଉଛି ଯେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି।
କାରରେ ଥିବା ସମସ୍ତ ତିନି ଜଣ ପିଲାଙ୍କୁ ସାମାନ୍ୟ ଆଘାତ ଲାଗିଛି। ଡ୍ରାଇଭରଙ୍କୁ ମଧ୍ୟ ସାମାନ୍ୟ ଆଘାତ ଲାଗିଛି। ଟ୍ରାମ୍ପୋଲାଇନ୍ରେ ଖେଳୁଥିବା ପିଲାଟି ସବୁଠାରୁ ଗୁରୁତର ଆହତ ହୋଇଛି, ଯାହାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଜରୁରୀକାଳୀନ ସେବା ପଠାଯାଇଥିଲା। ଅଗ୍ନିଶମ କର୍ମଚାରୀ, ଆମ୍ବୁଲାନ୍ସ ଏବଂ ଦୁଇଟି ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଫସି ରହିଥିବା କାରକୁ ବାହାର କରିବା ପାଇଁ ଏକ କ୍ରେନ୍ ବ୍ୟବହାର କରାଯାଇଥିଲା। ଉଦ୍ଧାରକାରୀମାନେ ଛାତ କାଟି କାର ପାଖରେ ପହଞ୍ଚିଥିଲେ ଏବଂ ବହୁତ ଚେଷ୍ଟା ପରେ ଏହାକୁ ବାହାର କରିଥିଲେ। ଏହା ସହିତ, ବଗିଚାରେ ଥିବା ଦୋଳା ଏବଂ ଅନ୍ୟାନ୍ୟ ଖେଳ ଜିନିଷଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।