ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ହମାସ ଓ ଇସ୍ରାଏଲ ମଧ୍ୟରେ ୬୦ ଦିନିଆ ଅସ୍ତ୍ରବିରତି ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ଉପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ତାଙ୍କର କହିବା କଥା ସେ ଏହି ରାଜିନାମାକୁ ନେଇ ବିଚାର କରୁଛନ୍ତି । ଏହି ରାଜିନାମା ଅନୁସାରେ ୬୦ ଦିନ ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ରହିବ । ଏହି ସମୟରେ ଇସ୍ରାଏଲ ପକ୍ଷରୁ ଗାଜାକୁ ଯିବାକୁ ଥିବା ମାନବୀୟ ସହାୟତାକୁ ରୋକା ଯିବ ନାହିଁ ।
ଏହା ବ୍ୟତୀତ ହମାସ ପକ୍ଷରୁ ଇସ୍ରାଏଲର ୨୮ ବନ୍ଧକଙ୍କୁ ମୁକ୍ତ କରାଯିବ । ଇସ୍ରାଏଲ ମଧ୍ୟ ୧୨୫ ପାଲେଷ୍ଟାଇନ ବନ୍ଧକଙ୍କୁ ମଧ୍ୟ ମୁକ୍ତ କରିବ । ଏ ପର୍ଯ୍ୟନ୍ତ ୧୮୦ ବନ୍ଧକଙ୍କ ମୃତ୍ୟୁ ହୋଇ ସାରିଛି । ଯୋଜନା ଅନୁସାରେ ଉଭୟ ପକ୍ଷ ମୃତକ ବନ୍ଧକଙ୍କ ମୃତଦେହକୁ ହସ୍ତାନ୍ତର କରିବେ ।
ଅସ୍ତ୍ରବିରତିର ଏହି ଯୋଜନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ମଧ୍ୟସ୍ଥ ଦେଶ ଇଜିପ୍ଟ ଓ କାତାର ମଧ୍ୟ ସହମତି ପ୍ରକାଶ କରିଛନ୍ତି। ହ୍ୱାଇଟ ହାଉସ ମଧ୍ୟ ଗୁରୁବାର ଜଣାଇଥିଲା ଯେ, ଅସ୍ତ୍ରବିରତି ଉପରେ ଇସ୍ରାଏଲ ସହମତି ଦେଇଛି । ହମାସର କହିବା କଥା ଆମେ ଏବେ ଅସ୍ତ୍ରବିରତିର ପ୍ରସ୍ତାବ ଉପରେ ବିଚାର କରୁଛୁ । ଆମର ନିର୍ଣ୍ଣୟ ଶୁକ୍ରବାର କିମ୍ବା ଶନିବାର ସୁଦ୍ଧା ସଭିଙ୍କ ସାମ୍ନାରେ ଥିବ ।
ହମାସ ମଧ୍ୟ ଏହି ରାଜିନାମାରେ ରାଜି ହେବ କାରଣ ଗାଜା ପାଇଁ ପହଞ୍ଚିବାକକୁ ଥିବା ସହାୟତାକୁ ଇସ୍ରାଏଲ ରୋକିବ ନାହିଁ । ତେଣୁ ହମାସ ଚାହିଁବ ନାହିଁ ଯେ, ଅସ୍ତ୍ରବିରତି ନ ହେଉ । ଉଲ୍ଲେଖନୀୟ ଗାଜାରେ ଶାନ୍ତିକୁ ନେଇ ୟୁରୋପୀୟ ଦେଶ ମଧ୍ୟ ଚାପ ପକାଇବାରେ ଲାଗିଛନ୍ତି । ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ ସମେତ ଅନେକ ଦେଶ ଇସ୍ରାଏଲ ବିରୋଧରେ ଗତ ଦିନରେ ପ୍ରସ୍ତାବ ମଧ୍ୟ ପାରିତ କରିଥିଲେ ।
ଏହା ବ୍ୟତୀତ ୩୧ ଦେଶର ରାଷ୍ଟ୍ରଦୂତ ଗାଜା ମଧ୍ୟ ଯାଇଥିଲେ ଏବଂ ଏହି ସମୟରେ ଇସ୍ରାଏଲ ପକ୍ଷରୁ ଫାୟରିଂ କରାଯାଇଥିଲା । ଏହା ମଧ୍ୟରେ ଇସ୍ରାଏଲ ବିରୋଧରେ ସାମାଜିକ କର୍ମୀ ଗ୍ରେଟା ଥନବର୍ଗ ମଧ୍ୟ ରବିବାର ଗାଜା ପହଞ୍ଚୁଛନ୍ତି । ସେ ଏକ ମାନବୀୟ ସହାୟତା ବିଶିଷ୍ଟ ଏକ ଜାହାଜରେ ଆସିବେ । ଜଣେ ୟୁରୋପୀୟ ସାଂସଦ ରୀମା ହସନ ମଧ୍ୟ ଏହି ଯାତ୍ରାରେ ସାମିଲ ହେବେ । ଇସ୍ରାଏଲ ଓ ଆମେରିକା ଉପରେ ଗାଜାକୁ ନେଇ ଏଥିପାଇଁ ଚାପ ରହିଛି କାରଣ ଜର୍ମାନୀ, ଫ୍ରାନ୍ସ, ୟୁକେ ସମେତ ଅନେକ ୟୁରୋପୀୟ ଦେଶ ଲାଗାତାର ଗାଜା ଉପରେ ହମଲା ବନ୍ଦ କରିବାକୁ ଦାବି କରି ଚାଲିଛନ୍ତି ।